ପଟ୍ଟାଙ୍ଗି, ୨୩।୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ର କୋଟିଆ ପଞ୍ଚାୟତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଆନ୍ଧ୍ରପ୍ରଦେଶର ଜିଲା ପରିଷଦ ଓ ସମିତି ନିର୍ବାଚନକୁ ନେଇ ଓଡ଼ିଶାର ବିଜେଡି ପ୍ରତିନିଧି ଦଳ କୋଟିଆ ଗସ୍ତ କରି ପ୍ରତିବାଦ ଜଣାଇଥିବା ବେଳେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍ ମଧ୍ୟ ସୀମାନ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି।
ବିଧାୟକ କାଡାମ୍ କୋଟିଆ ପଞ୍ଚାୟତର ବିଭିନ୍ନ ସୀମାନ୍ତ ଗ୍ରାମ ପରିଦର୍ଶନ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ପଚାରି ବୁଝିଥିଲେ। ଏହି ସମୟରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ ଗତିବିଧି ସମ୍ପର୍କରେ ମଧ୍ୟ ସେ ତଥ୍ୟ ସଂଗ୍ରହ କରିଥିଲେ। ସେଠାରେ ନିର୍ବାଚନ ହେଉଛି ନା ମନୋନୟନ ମାଧ୍ୟମରେ ପ୍ରତିନିଧି ଚୟନ କରାଯାଉଛି, ସେ ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। ଏଥିସହ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଅଞ୍ଚଳରେ କେଉଁ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି, ସେ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ।
ଏହି ଅବସରରେ ବିଧାୟକ କାଡାମ୍ କହିଥିଲେ ଯେ, ସେ କୋଟିଆବାସୀଙ୍କ ସହ ରହିଛନ୍ତି ଏବଂ ବିଧାନସଭାରେ ଏହି ପ୍ରସଙ୍ଗରେ ଲଢ଼େଇ ଜାରି ରଖିଛନ୍ତି। କୋଟିଆ ପଞ୍ଚାୟତ ଓଡ଼ିଶାର ଅଂଶ ହୋଇ ରହିଆସିଛି ଏବଂ ଆଗକୁ ମଧ୍ୟ ଓଡ଼ିଶାରେ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏଥିସହ ଆନ୍ଧ୍ରପ୍ରଦେଶର ନିର୍ବାଚନୀ କାର୍ଯ୍ୟକଳାପରେ ସହଯୋଗ ନ କରିବାକୁ ଗ୍ରାମବାସୀଙ୍କୁ ବୁଝାଇଥିଲେ।
ଅନ୍ୟପକ୍ଷରେ, ଗ୍ରାମବାସୀ ଜଣାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ବିଧାୟକ କାଡାମ୍ ତୁରନ୍ତ ପଦକ୍ଷେପ ନେଇଥିଲେ। ସେ ଗ୍ରାମବାସୀଙ୍କ ଉପସ୍ଥିତିରେ ଫୋନ୍ ଯୋଗେ ବ୍ଲକ୍ ପ୍ରଶାସନ ସହ ଯୋଗାଯୋଗ କରି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ବିଧାୟକଙ୍କ ଏହି ଗସ୍ତ ସମୟରେ ସାଂସଦଙ୍କ ପ୍ରତିନିଧି ଶୁକ୍ରା ଖରା, ବ୍ଲକ୍ ସଭାପତି ଅର୍ଜୁନ ବାଙ୍କାଙ୍କ ସମେତ ଅନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ।