ଗଞ୍ଜାମ, ୨/୧୧ (ଅନାଥ ତରାଇ): ଗଞ୍ଜାମ ବ୍ଲକ୍ର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ଏହି ଅବସରରେ ସେ ରାଜପୁର ଗ୍ରାମରେ ଘରକୁ ଘର ବୁଲି ବାତ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ଭେଟିଥିଲେ। ସେମାନଙ୍କ ଦୁଃଖଦୁର୍ଦ୍ଦଶା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ପ୍ରଭାବିତ ପରିବାରଗୁଡ଼ିକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ନେଇ ଆଲୋଚନା କରିଥିଲେ।
ପରେ ବିଧାୟକ ମଲାଡ଼ ପଞ୍ଚାୟତର ମଲାଡ଼ ଗ୍ରାମ ପରିଦର୍ଶନ କରି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଏବଂ ଗ୍ରାମବାସୀଙ୍କୁ ଭେଟିଥିଲେ। ବନ୍ୟା ଯୋଗୁ ଚାଷଜମି ଓ ଫସଲର ହୋଇଥିବା କ୍ଷୟକ୍ଷତି ସମେତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଶୁଣିଥିଲେ। ବିପଦ ସମୟରେ କୌଣସି କ୍ଷତିଗ୍ରସ୍ତ ପରିବାର କିମ୍ବା ଚାଷୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ କ୍ଷୟକ୍ଷତିର ସଠିକ୍ ଆକଳନ କରିବା ସହ ସ୍ୱଚ୍ଛ ଓ ତ୍ୱରିତ ଭାବେ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ।