ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ ଗୁରୁବାର ବୈତରଣୀ ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ। ଶୁକ୍ରବାର ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଧାୟକ ଅଭିମନ୍ୟୁ ସେଠୀ ମୃତ ଛାତ୍ରଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଏହା ସହିତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ କେନ୍ଦୁଝର ଜିଲାପାଳ ଓ ଆନନ୍ଦପୁର ଉପଜିଲାପାଳଙ୍କ ସହ ଆଲୋଚନା କରିଥିବା ବିଧାୟକ ସେଠୀ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ଗୁରୁବାର ମଧ୍ୟାହ୍ନ ସମୟରେ ଚିତ୍ତରଞ୍ଜନ ଭୂତିଆଙ୍କ ସାନ ପୁଅ ସୌମ୍ୟରଞ୍ଜନ ଭୂତିଆ (୧୪) ଏବଂ ସଦାନନ୍ଦ ଦାସଙ୍କ ପୁଅ ଆକାଶ ଦାସ ଅନ୍ୟ ସାଙ୍ଗମାନଙ୍କ ସହ ବୈତରଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ସୌମ୍ୟରଞ୍ଜନ ଓ ଆକାଶ ନଦୀର ଏକ ଗଭୀର ଖାଲରେ ଖସି ପଡ଼ିଥିଲେ।

ସ୍ଥାନୀୟ ଲୋକମାନେ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନଦୀରୁ ଉଦ୍ଧାର କରି ଶାଳଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସୌମ୍ୟରଞ୍ଜନଙ୍କୁ ମୃତ ଘୋଷଣା କରିଥିବା ବେଳେ ଆକାଶଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଘଟଣାଟି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବିଧାୟକଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ଓ ବିଜେଡି କର୍ମୀମାନେ ମଧ୍ୟ ମୃତ ଛାତ୍ରଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

Share