ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼ ଲୋକ ମଣ୍ଡପରୁ ଏକ ଅଟୋ ରାଲି ବାହାରିଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ରାଲିର ଶୁଭାରମ୍ଭ କରିଥିଲେ। ତେବେ ରାଲି ଶୁଭାରମ୍ଭରେ ବିଧାୟକ ଷଡ଼ଙ୍ଗୀ ଏବଂ ଜିଲା ଅଟୋ ମାଲିକ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହ ଜାତୀୟ ପତାକା ତ୍ରିରଙ୍ଗା ବ୍ୟବହାର କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହାର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ଏହା ଅବମାନନା ବୋଲି ଅନେକ ମତ ରଖୁଛନ୍ତି। ତେବେ ଏ ସମ୍ପର୍କରେ ଆୟୋଜକ ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘର ସଭାପତି ସର୍ଦ୍ଦାର ପ୍ରୀତମ ସିଂହଙ୍କୁ ପଚାରିବାରୁ ସେ କହିଥିଲେ, ତ୍ରିରଙ୍ଗା ପ୍ରତି ସବୁବେଳେ ସମ୍ମାନ ରହି ଆସିଛି। ତ୍ରିରଙ୍ଗା ପ୍ରତି କୌଣସି ଅବମାନନା କରାଯାଇ ନାହିଁ। ରାଲିରେ ନେବା ପାଇଁ ତ୍ରିରଙ୍ଗା ଅଣାଯାଇଥିଲା ଏବଂ ନଡ଼ିଆ ଫଟାଇ ଓ ଅଟୋରିକ୍ସା ଚାଳନା କରି ବିଧାୟକ ରାଲିର ଶୁଭାରମ୍ଭ କରିଥିଲେ।