ମୁଖ୍ୟରାସ୍ତାରେ ଛାତିଏ ପାଣି, ଘରେ ପଶିଲା ବନ୍ୟାଜଳ: ଦିଗପହଣ୍ଡି NAC ବୁଲି ସ୍ଥିତି ପରଖିଲେ ବିଧାୟକ, ସାହି-ବସ୍ତି ବୁଲି…

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ପ୍ରବଳ ବର୍ଷା ଯୋଗୁ ଦିଗପହଣ୍ଡି ଏନ୍‌ଏସି (NAC) ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବର୍ଷା ଯୋଗୁ ସମଗ୍ର ଦିଗପହଣ୍ଡି ଅଞ୍ଚଳ ଜଳମଗ୍ନ ହୋଇପଡ଼ିବା ସହ ଶହ ଶହ ପରିବାର ପ୍ରଭାବିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିବା ସହ ପ୍ରଭାବିତ ଲୋକଙ୍କ ଦୁଃଖସୁଖ ବୁଝିଛନ୍ତି।

ସୂଚନା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡରୁ ନୂଆ ବସ୍‌ଷ୍ଟାଣ୍ଡ ମୁଖ୍ୟରାସ୍ତାରେ ପ୍ରାୟ ୩ରୁ ୪ ଫୁଟ ଉଚ୍ଚର ବର୍ଷାଜଳ ପ୍ରବାହିତ ହୋଇଥିଲା। ସେହିପରି ଚିକିଟି ରୋଡ୍‌ର ମେଡିକାଲ ରାସ୍ତାରୁ ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ୨ ଫୁଟର ପ୍ରଖର ସ୍ରୋତ ବୋହିବା ସହ ବିଷ୍ଣୁପ୍ରିୟା ନଗର, କାଳିଆ ନଗର, ଲକ୍ଷ୍ମୀନୃସିଂହ ନଗର ଏବଂ ଦଳିତ ସାହିର ଅନେକ ଲୋକଙ୍କ ଘରେ ବନ୍ୟାପାଣି ପଶିଯାଇଥିଲା। ୩ ନମ୍ବର ୱାର୍ଡସ୍ଥିତ ପିଏଚ୍‌ଡି ଅଫିସ ନିକଟ ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିବାରୁ ଲୋକମାନେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା।

ବିଧାୟକ ଡ. ମହାପାତ୍ର ଦିଗପହଣ୍ଡିର ପିଏଚ୍‌ଡି ରୋଡ୍, ବସ୍‌ଷ୍ଟାଣ୍ଡ ରାସ୍ତା, ସାହାଣୀ ସାହି, ଦଳିତ ସାହି, ବିଭିନ୍ନ ବସ୍ତି ଏବଂ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ। ସେ ସାହି ସାହି ବୁଲି ଜଳବନ୍ଦୀ ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ସମସ୍ତ ପ୍ରକାର ଆଶ୍ୱାସନା ଓ ସହାୟତାର ନିର୍ଭରପ୍ରତିଶ୍ରୁତି ଦେଇଥିଲେ। ଏହି ଜଳବନ୍ଦୀ ସମସ୍ୟାର ସ୍ଥାୟୀ ନିରାକରଣ ନିମନ୍ତେ ସେ ଘଟଣାସ୍ଥଳରେ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ ତହସିଲଦାର ସନ୍ତୋଷ କୁମାର ସାହୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, କାଉନସିଲର ସୁଶାନ୍ତ କୁମାର ପାତ୍ର, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଭୀମା ରାଓଙ୍କ ସମେତ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଚେତନ નાଗରିକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share