ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩ ଜିଲାର ମିଶନ୍‌ ଶକ୍ତି ମହିଳା

ଭୁବନେଶ୍ବର,୨୩ା୯(ବ୍ୟୁରୋ): କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାର ମିଶନ୍‌ ଶକ୍ତି ଗୋଷ୍ଠୀର ମହିଳାମାନେ ଗୁରୁବାର ସାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ସମ୍ପୃକ୍ତ ଗୋଷ୍ଠୀ ଜାତୀୟ ପତାକା ତିଆରି ଦାୟିତ୍ୱ ନେଇଥିଲେ। ଏହି କାର୍ଯ୍ୟକୁ ଦକ୍ଷତାର ସହ ତୁଲାଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ୍‌ ଶକ୍ତି ମହିଳାଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏସ୍‌ଏଚ୍‌ଜି ମହିଳାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଭରସା ରହିଛି। ଆପଣମାନେ ଗାଁ ଗାଁରେ ବିକାଶର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିପାରିଛନ୍ତି ବୋଲି ସେ କହିଥିଲେ। ସେହିପରି ଜାତୀୟ ପତାକା ତିଆରି ଭଳି ଏକ ମର୍ଯ୍ୟାଦାପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଥିବାରୁ ମିଶନ୍‌ ଶକ୍ତିର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମିଶନ୍‌ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ। ଏଥିରେ ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ। ସୂଚନାଯୋଗ୍ୟ ଯେ, ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ୍‌ ଶକ୍ତି ମହିଳାଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ଦେଇଥିଲେ।