ମିଶନ ଶକ୍ତି ଓ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ମଧ୍ୟରେ MOU: କଳାହାଣ୍ଡିର ଏସଏଚଜି ମହିଳା ପାଇବେ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ

ଭବାନୀପାଟଣା, ୨୭/୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ ଓ ସାକ୍ଷର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଭବାନୀପାଟଣାଠାରେ କଳାହାଣ୍ଡି ଜିଲା ମିଶନ ଶକ୍ତି ଏବଂ ‘ଓଡ଼ିଶା ରାଇଜିଂ ଫାଉଣ୍ଡେସନ’ (ORF) ମଧ୍ୟରେ ଏକ ମିଳିତ ଚୁକ୍ତିନାମା (MoU) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅଧୀନରେ ଜିଲାର ଏସଏଚଜି ମହିଳାମାନଙ୍କ ପାଇଁ ଏକ ବ୍ୟାପକ ଆର୍ଥିକ ସାକ୍ଷରତା ଅଭିଯାନ ଆରମ୍ଭ କରାଯିବ।

ଏହି ଅଭିଯାନ ମାଧ୍ୟମରେ କଳାହାଣ୍ଡି ଜିଲାର ହଜାର ହଜାର ମହିଳା ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ସେବା, ସଞ୍ଚୟ, ଋଣ ପରିଚାଳନା ଏବଂ ଡିଜିଟାଲ କାରବାର (Digital Transactions) ସମ୍ବନ୍ଧରେ ଜ୍ଞାନକୌଶଳ ଓ ପ୍ରଶିକ୍ଷଣ ପାଇପାରିବେ। ଏହା ମହିଳାମାନଙ୍କର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ସହ ସେମାନଙ୍କୁ ଅଧିକ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ, ମିଶନ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ୱିବେଦୀ, ଓଡ଼ିଶା ଜୀବିକା ମିଶନ (OLM) ର ଜିଲା ପ୍ରକଳ୍ପ ପରିଚାଳକ (DPM) ଡ଼. ଚନ୍ଦନ କୁମାର ବେହେରା, ଭୁବନେଶ୍ୱର ଓଡ଼ିଶା ରାଇଜିଂ ଫାଉଣ୍ଡେସନର ହେଡ୍ ଅଫ୍ ପ୍ରୋଗ୍ରାମ ସାଗରିକା ରାୟ, ଓଆରଏଫ୍‌ର ଆଦିତ୍ୟ ଆଚାର୍ଯ୍ୟ ଏବଂ କଳାହାଣ୍ଡି ଡିପିଏମ ସୁନିତା ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ଏହି ଅଭିଯାନକୁ ସଫଳ କରିବା ପାଇଁ ମତବ୍ୟକ୍ତ କରିଥିଲେ।

Dharitri – Odisha’s No.1 Odia Daily

Share