ପାତ୍ରପୁର,୪।୧୧(ଉମା ଚରଣ ନେପାକ): ଜରଡ଼ା ଥାନା ଅନ୍ତର୍ଗତ ସବରଦେଇପେଟା ଗ୍ରାମର ଜଣେ ବ୍ୟକ୍ତି ନିଖୋଜ ହେବାର ଦୁଇ ଦିନ ପରେ ତାଙ୍କର ମୃତଦେହ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଏକ ନାଳରୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ସବରଦେଇପେଟା ଗ୍ରାମର ପି. କୁରେଶୁ (୪୫)।
ମିଳିଥିବା ସୂଚନା ଅନୁସାରେ, ପି. କୁରେଶୁ ଗତ ସୋମବାରଠାରୁ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ସେ ସ୍ଥାନୀୟ ପଦ୍ମତୋଳା ନାଳର ପ୍ରବଳ ଜଳସ୍ରୋତରେ ଭାସିଯାଇଥିବା ସନ୍ଦେହ କରାଯାଉଥିଲା।
ବୁଧବାର ସକାଳେ ଆନ୍ଧ୍ରପ୍ରଦେଶର ଧରମପୁର ଗ୍ରାମ ନିକଟସ୍ଥ ନାଳରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନାଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପରବର୍ତ୍ତୀ ସମୟରେ କୁରେଶୁଙ୍କ ପରିବାର ଲୋକେ ଇଚ୍ଛାପୁରରେ ପହଞ୍ଚି ମୃତଦେହଟି କୁରେଶୁଙ୍କର ବୋଲି ଚିହ୍ନଟ କରିଛନ୍ତି। ଏହି ଅଭାବନୀୟ ଘଟଣା ପରେ ସବରଦେଇପେଟା ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।