ଶାଶୁଙ୍କଠାରୁ ଉଦ୍ଧାର ହେଲା ନିଖୋଜ ଶିଶୁ କନ୍ୟା

କୋରାପୁଟ,୧୫ା୨: କୋରାପୁଟ ମେଡିକାଲ କଲେଜରୁ ନିଖୋଜ ଶିଶୁକନ୍ୟା ସୋମବାର ଉଦ୍ଧାର ହୋଇଛି। ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଟୁନା ହରିଜନଙ୍କୁ ରବିବାର ରାତିରେ କୁନ୍ଦୁରାର ଫୁଫୁଗାଁ ଅଞ୍ଚଳରୁ ପୋଲିସ ଗିରଫ କରିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୪ ଜଣଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ଗୁଣନିଧି ମଲ୍ଲିକ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଟୁନା ହରିଜନ, ଡମ୍ବୁସିଂ ଗୌଡ଼ଙ୍କ ଶାଶୁ ଗଙ୍ଗାଇ ଗୌଡ଼, ଦେଢ଼ଶାଶୁ ବାସନ୍ତୀ ଗୌଡ଼, ବି. ସିଂପୁର ଥାନା ମୁଣ୍ଡାଗୁଡ଼ା ଗ୍ରାମର ହେମନ୍ତ ମହୁରିଆ ଓ ରଞ୍ଜିତା ମହୁରିଆ। ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା ଏସ୍‌ଡିପିଓ କହିଛନ୍ତି।
ସୂଚନାଯୋଗ୍ୟ, ୯ତାରିଖରେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଶିଳପଡ଼ା ଗ୍ରାମର ଡମ୍ବୁଙ୍କ ସ୍ତ୍ରୀ ତୁଳସେନା ଗୌଡଙ୍କୁ ପ୍ରସବ ନେଇ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ପରେ ତୁଳ ଗୁରୁତର ହୋଇପଡିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ନବଜାତ ଶିଶୁକନ୍ୟାକୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ହେଲେ ସ୍ତ୍ରୀଙ୍କ ମୃତଦେହ ସତ୍କାର କରିବା ଲାଗି ଡମ୍ବୁ ଗ୍ରାମକୁ ଆସିଥିଲେ। ଘଟଣାର ୩ ଦିନ ପରେ ଡମ୍ବୁ ମେଡିକାଲ କଲେଜରେ ପହଞ୍ଚତ୍ ଝିଅ କିପରି ଅଛି ଆଇସିୟୁକୁ ଦେଖିବାକୁ ଯାଇଥିଲେ। ଆଇସିୟୁରେ ଶିଶୁକନ୍ୟା ନ ଥିବା ଦେଖି ଡମ୍ବୁ କର୍ମଚାରୀଙ୍କୁ ପଚାରିଥିଲେ ମଧ୍ୟ କେହି କିଛି କହିପାରି ନ ଥିଲେ। ସେ ଏନେଇ ଟାଉନ ଥାନାରେ ୧୨ରେ ତାଙ୍କ ଝିଅ ନିଖୋଜ ଥିବା ସହ ବିକ୍ରି କରି ଦିଆଯାଇଥିବା ନେଇ ଏତଲା ଦେଇଥିଲେ। ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ୪୨/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ା ସୋମବାର ନିଖୋଜ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଏସ୍‌ଡିପିଓ ମଲ୍ଲିକ ଓ ଥାନା ଅଧିକାରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଶିଶୁ କନ୍ୟାଙ୍କୁ ପିତା ଡମ୍ବୁଙ୍କୁ ପ୍ରଦାନ କରାଯାଇଛି। ଶିଶୁ କନ୍ୟାଙ୍କୁ ହସ୍ପିଟାଲରୁ ନେଇଯାଇଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରାଯାଇଛି।