ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସ୍ଥିତି ଅତି ଖରାପ ରହିଛି। ନିକଟରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟ-୨୦୨୩ରୁ ଏହା ସ୍ପଷ୍ଟ ହୋଇଛି। ନିଖୋଜ ଶିଶୁମାନଙ୍କୁ ଉଦ୍ଧାର ତୁଳନା ତାଲିକାରେ ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରେ ଥିଲେ ତଳଆଡୁ ପ୍ରଥମରେ ରହିଛି।
ଏଯାଏ ନିଖୋଜ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଓଡ଼ିଶା ୨୦୨୩ରେ ମାତ୍ର ୩୨.୫ ପ୍ରତିଶତ ଉଦ୍ଧାର କରିପାରିଛି। ତଥ୍ୟ ଅନୁଯାୟୀ, ୨୦୨୩ ପୂର୍ବରୁ ଓଡ଼ିଶାରୁ ମୋଟ ୪,୮୩୭ ଜଣ ଶିଶୁ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରେ ୫୧୭ ଜଣ ନାବାଳକ ଓ ୪,୩୨୦ ଜଣ ନାବାଳିକା। ୨୦୨୩ରେ ମଧ୍ୟ ୫,୯୩୮ ଜଣ ଶିଶୁ ନିଖୋଜ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୭୦୫ଜଣ ନାବାଳକ ଓ ୫,୨୩୩ ନାବାଳିକା ଥିଲେ। ୨୦୨୩ ବର୍ଷର ନିଖୋଜ ଶିଶୁଙ୍କୁ ମିଶାଇ ଏହି ସଂଖ୍ୟା ୧୦,୭୭୫ରେ ପହଞ୍ଚିଥିଲା।
ତେବେ ୨୦୨୩ ବର୍ଷରେ ୩,୫୦୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲ। ସେମାନଙ୍କ ମଧ୍ୟରୁ ୩,୦୫୬ ଜଣ ନାବାଳିକା ରହିଥିବାବେଳେ ୪୪୭ ଜଣ ନାବାଳକ ରହିଛନ୍ତି। ଅପରପକ୍ଷରେ ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ତାଲିକାରେ ନାଗାଲାଣ୍ଡ ଓ ସିକିମ୍ ମିଳିତ ଭାବେ ୧୦୦% ହାରରେ ପ୍ରଥମରେ ରହିଥିବା ବେଳେ ଦ୍ୱିତୀୟରେ କେରଳ (୯୫.୯%), ତୃତୀୟରେ ମେଘାଳୟ (୯୩.୬), ଚତୁର୍ଥରେ ତ୍ରିପୁରା (୮୬.୨) ଏବଂ ପଞ୍ଚମ ସ୍ଥାନରେ ଆନ୍ଧ୍ରପ୍ରଦେଶ (୮୫.୭) ରହିଛି।


