ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ-ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀଙ୍କ ଠାରୁ ୬୦ ହଜାର ଟଙ୍କା ଥିବା ହ୍ୟାଣ୍ଡ ବ୍ୟାଗକୁ ବୁଧବାର ମଧ୍ୟାହ୍ନରେ କିଛି ଦୁର୍ବୃତ୍ତ ଅଭିନବ ଉପାୟରେ କୌଶଳକ୍ରମେ ଲୁଟି ନେଇ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଧାନଘର ଗାଁ ଛକରେ ବହି ଦୋକାନ କରିଥିବା ବ୍ୟବସାୟୀ ଜଣକ ଚିକିଟିପେଣ୍ଠ ରାସ୍ତାକଡ଼ରେ ଥିବା ଷ୍ଟେଟ୍ବ୍ୟାଙ୍କ ଶାଖାରେ ଥିବା ଜମାଖାତାରୁ କୁଞ୍ଜନ ୬୦ ହଜାର ଟଙ୍କା ଉଠାଇ ୟୁନିୟନ ବ୍ୟାଙ୍କରେ ଥିବା ତାଙ୍କ ଭଉଣୀଙ୍କ ଜମାଖାତାରେ ଡିପୋଜିଟ୍ କରିବାକୁ ଯାଇଥିଲେ। ବ୍ୟାଙ୍କ କର୍ମଚାରୀ ବୃନ୍ଦ ଖାଇବାକୁ ଚାଲିଯାଇଥିବା ଜାଣିବା ପରେ ସେ ଘରକୁ ଫେରୁଥିଲେ। ରାସ୍ତାରେ ଜଣେ ଅଜଣା ଯୁବକ ବାଇକ୍ ଯୋଗେ ତାଙ୍କ ପାଖକୁ ଆସି ତୁମର ୧ ଶହ ଟଙ୍କା ପଡ଼ିଯାଇଛି କହିଥିଲେ। ସେ ଉକ୍ତ ଟଙ୍କାକୁ ଗୋଟାଉ ଥିବାବେଳେ ଅଜଣା ଯୁବକ ଜଣକ ତାଙ୍କ ହାତରୁ ଟଙ୍କା ଥିବା ବ୍ୟାଗ ଝାମ୍ପି ନେଇ ଦ୍ରୁତଗତିରେ ଚମ୍ପଟ ମାରିଥିଲେ। କୁଞ୍ଜନ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ପୋଲିସ ବିଭିନ୍ନ ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ଦୁର୍ବୃତ୍ତ ଗତିବିଧିକୁ ଯାଞ୍ଚ କରି ଫେରିଥିବା ଜଣାପଡ଼ିଛି। ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାରେ ବ୍ୟବସାୟୀଙ୍କ ଠାରୁ କୌଶଳକ୍ରମେ ଅଭିନବ ଉପାୟରେ ଦୁର୍ବୃତ୍ତ ଜଣକ ଟଙ୍କା ବ୍ୟାଗକୁ ଝାମ୍ପିି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।