ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଦିବ୍ୟାଙ୍ଗଙ୍କ ଘରୁ କବାଟ ତାଲା ଭାଙ୍ଗି ପ୍ରାୟ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ସୂଚନା ଅନୁସାରେ, ଉକ୍ତ ସାହିର ଅନିଲ ପ୍ରଧାନ ଓ ତାଙ୍କ ପରିବାର ରବିବାର ଥିବାରୁ ପୂର୍ବାହ୍ନ ୧୧ ଟା ବେଳେ ଚର୍ଚ୍ଚକୁ ଯାଇଥିଲେ । ସେ ଦ୍ବିପ୍ରହର ୨ ଟା ବେଳକୁ ଘରକୁ ଫେରିବା ବେଳେ ତାଙ୍କ ଘରର ମୁଖ୍ୟ ଫାଟକର ତାଲା କଟାଯାଇଥିବା ନେଇ ଦେଖିଥିଲେ । ଘରେ ପଶି ଦେଖିଲା ବେଳେ ତାଙ୍କର ଜମା ସଞ୍ଚିତ ପ୍ରାୟ ୫୦ହଜାର ଟଙ୍କା ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । କେହି ଦୁର୍ବୁତ୍ତ ତାଙ୍କର ଅନୁପସ୍ଥିତିକୁ ଜାଣି ଲୁଟ୍ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟଯେ, ଅନିଲ ଓ ତାଙ୍କ ସ୍ତ୍ରୀ ଦୁହେଁ ଛୋଟିଆ ଦୋକାନ ଟିଏ କରି ଗୁଜୁରାଣ ମେଣ୍ଟାଉଥିଲେ । ଅନିଲ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କୁ ମିଳୁଥିବା ଭତ୍ତା ଟଙ୍କା ଓ ଛୋଟିଆ ଚାହା ଦୋକାନରୁ ହେଉଥିବା ରୋଜଗାର ଅର୍ଥକୁ କୁମ୍ପି ସାହାଯ୍ୟରେ ସଞ୍ଚୟ କରି ରଖିଥିଲେ । ତେବେ ଲୁଟେରା ଏହି ଅର୍ଥକୁ ଲୁଟ କରିଥିବା ଅନିଲଙ୍କ ବଡ ଭାଇ ଅମରେନ୍ଦ୍ର ପ୍ରଧାନ କହିଛନ୍ତି ଏନେଇ ଅନିଲଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇନଥିବା ବେଳେ ଏନେଇ ସୋମବାର ଲିଖିତ ଅଭିଯୋଗ କରିବୁ ବୋଲି ଦିବ୍ୟାଙ୍ଗଙ୍କ ବଡ଼ଭାଇ ଅମରେନ୍ଦ୍ର କହିଛନ୍ତି ।