ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଥାନାରେ ଲିଖିତ ଏତଲା ଦାୟର କରାଯାଇଛି।
ସୂଚନା ଅନୁସାରେ, ରାୟଗଡ଼ା କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାରେ ଥିବା ଶିକରପାଇ ପ୍ରବେଶ ଦ୍ୱାର ନିକଟରେ ଗ୍ରାମବାସୀଙ୍କ ଉଦ୍ୟମରେ ଭାରତମାତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ପୂର୍ବରୁ ମଧ୍ୟ କିଛି ଅସାମାଜିକ ବ୍ୟକ୍ତି ଏହି ପ୍ରତିମୂର୍ତ୍ତିକୁ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ, ଯାହାକୁ ନେଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ପୁଣିଥରେ ଦୁର୍ବୃତ୍ତମାନେ ମୂର୍ତ୍ତିର ହାତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ କଲ୍ୟାଣସିଂହପୁର ଥାନା ଏସ୍‌ଆଇ ହେମନ୍ତ କୁମାର ବରିଆଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନୋଜ କୁମାର ସେଠୀ, ସନ୍ତୋଷ କୁମାର ସାହୁ, ନାରସିଂ କୌଶଲ୍ୟା ଓ ବିଜୟ କୁମାର ଗୌଡ଼ଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share