ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍ ଓ କବାଟ ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ଆଲମିରା ଚାବି ତାଡ଼ି ସେଥିରେ ଥିବା ପ୍ରାୟ ୨୦ ଭରି ସୁନା ଅଳଙ୍କାର, ସିସିଟିଭି ମନିଟର ଏବଂ ସ୍କୁଟି ଚୋରି କରି ନେଇଥିବା ଜଣାପଡିଛି। ସ୍କୁଲ ପୂଜାଛୁଟି ଥିବାରୁ ପଦ୍ମନ ଘରେ ତାଲା ପକାଇ ପୈତୃକ ଗାଁକୁ ଯାଇଥିଲେ। ଗତ ଶୁକ୍ରବାର ରାତିରେ ପୁଞ୍ଜିକୟଁା ଛକ ଦୁର୍ଗାପୂଜା ଅବସରରେ ମେଲୋଡ଼ି ଚାଲିଥିଲା। ବିଳମ୍ବିତ ରାତି ଯାଏ ପୁଞ୍ଜିକୟଁା ଛକରେ ଜନଗହଳି ଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ଏହାକୁ ଖାତିର ନ କରି ତାଙ୍କ ଘର ତାଲା ଭାଙ୍ଗି ଚୋରି କରିଥିବା ଜଣାପଡ଼ିଛି। ଖବରପାଇ ପଦ୍ମନ ଗାଁରୁ ଫେରି ଶନିବାର ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୪୯/୨୬ ଅନୁଯାୟୀ ମୋକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ଶନିବାର ପ୍ରାଥମିକ ତଦନ୍ତ କରିଥିଲେ। ରବିବାର ମଧ୍ୟାହ୍ନରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲେ ମଧ୍ୟ ପୋଲିସକୁ କୌଣସି ସୁରାକ ମିଳିପାରିନାହିଁ। ସେହିପରି ଗତ ଅଗଷ୍ଟ ୯ ତାରିଖ ସନ୍ଧ୍ୟାରେ ଦିଗପହଣ୍ଡି ଏନ୍ଏସି ୧ ନଂ ଓ୍ବାର୍ଡ ରାଜପୁର ରୋଡ୍ରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁଙ୍କ ଘର ସମ୍ମୁଖ କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସମାନ ଢଙ୍ଗରେ ଘର ଭିତରେ ଥିବା ୨ଟି ଗଡ଼ରେଜ୍ ଆଲମିରା ଚାବି ଭାଙ୍ଗି ଲକର୍ ତାଡ଼ି ଦେଇ ସେଥିରେ ଥିବା ପ୍ରାୟ ୩୦ ଭରି ଓଜନର ସୁନା ଅଳଙ୍କାର, ୫୦ ଭରି ଓଜନର ରୁପା ଅଳଙ୍କାର, ନଗଦ ୮ ଲକ୍ଷ ଟଙ୍କା ଓ ୨ଟି ଏଟିଏମ୍ କାର୍ଡ ଲୁଟି ନେଇଥିଲେ। ଏଯାବତ୍ ଏହି ଚୋରି ଘଟଣାରେ ପୋଲିସ କାହାରିକୁ ଗିରଫ କରିପାରି ନ ଥିବା ଜଣାପଡ଼ିଛି।