ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଅଲଗା କଲେ ଦୁର୍ବୃତ୍ତ, ବିଜେଡି ପକ୍ଷରୁ ଥାନାରେ ଅଭିଯୋଗ

ରଣପୁର,୨୬।୨(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ଅନ୍ତର୍ଗତ ମା’ ମଣିନାଗ ପୀଠ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଥିଲା। ଶନିବାର ମଧ୍ୟରାତ୍ରିରେ କେହି ଦୁର୍ବୃତ୍ତ କଟର ମେଶିନ ସାହାଯ୍ୟରେ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ କାଟି ଅଲଗା କରି ଦେଇଛନ୍ତି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ବିଜେଡିରେ ଚାପା ଉତ୍ତେଜନା ଦେଖାଦେଇଛି।

ଏ ନେଇ ରବିବାର ଏନ୍‌ଏସି ଅଧ୍ୟକ୍ଷା ରଙ୍ଗିନୀ ମହାନ୍ତିଙ୍କ ନେତୃତ୍ୱରେ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଦଳର କେତେଜଣ କର୍ମୀ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଖବର ଲେଖାହେବା ସୁଦ୍ଧା ପୋଲିସ କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରିପାରିନାହିଁ। ଏହାକୁ ନେଇ ବିଜେଡିରେ ଅସନ୍ତୋଷ ଦେଖାଦେଇଛି। ୨୦୧୯ ମାର୍ଚ୍ଚରେ ଏହି କଲ୍ୟାଣ ମଣ୍ଡପରେ ରଣପୁରର ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ଓ ରଣପୁରବାସୀ ବିଜୁବାବୁଙ୍କୁ ମନେପକାଇବା ପାଇଁ ତାଙ୍କ ଉଦ୍ଦେଶ୍ୟରେ ବଉଳମାଳିଆ ପଥରରେ ବିଜୁବାବୁଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ଏହାକୁ ସେତେବେଳେ ପୁରୀ ଏମ୍‌ପି ପିନାକୀ ମିଶ୍ର ଉଦ୍‌ଘାଟନ କରିଥିଲେ।

ସୂଚନାଯୋଗ୍ୟ, ମା’ ମଣିନାଗ ମନ୍ଦିରରେ କିଛିବର୍ଷ ତଳେ ଚୋରି ହୋଇଥିବାରୁ ଥାନା ପକ୍ଷରୁ ପ୍ରତ୍ୟେକ ରାତ୍ରିରେ ସେଠାରେ ପୋଲିସ ନିୟୋଜିତ ହେଉଛନ୍ତି। କଲ୍ୟାଣ ମଣ୍ଡପଟି ମନ୍ଦିରଠାରୁ ମାତ୍ର ୫୦ ହାତ ଦୂରରେ ଥିବାବେଳେ ଦୁର୍ବୃତ୍ତମାନେ କଟର ମେଶିନ ସାହାଯ୍ୟରେ କାଟିଲା ବେଳେ କିଭଳି ପୋଲିସ ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ରଣପୁର ଆଇଆଇସି ନୀହାର ରଞ୍ଜନ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ୭୪/୨୦୨୪ରେ ଏକ ମାମଲା ରୁଜୁ କରାଯାଇଛି। ମୂର୍ତ୍ତି ଭଙ୍ଗା ଘଟଣାର ତଦନ୍ତ ଚାଲିଛି। ରାତିରେ ମନ୍ଦିର ଜଗୁଥିବା ପୋଲିସ କର୍ମଚାରୀମାନେ ଯିବା ପୂର୍ବରୁ ଦୁର୍ବୃତ୍ତ ମୂର୍ତ୍ତିକୁ ଭାଙ୍ଗି ପଳାଇଯାଇଥିଲେ ବୋଲି ଆଇଆଇସି ମହାନ୍ତି କହିଛନ୍ତି।