ସେବାଶ୍ରମ ପାଚିକାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ବାଲିଗୁଡ଼ା, ୨୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକର ରଢ଼ା ସେବାଶ୍ରମ କୋଭିଡ୍‌ ହଷ୍ଟେଲରେ ନିୟୋଜିତ ଜଣେ ପାଚିକାଙ୍କୁ ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି। କୋଟଗଡ଼ ଦେୱାନୀ ଓ ଫୌଜଦାରି ଅଦାଲତର ପ୍ରଥମ ବିଚାର ବିଭାଗୀୟ ବିଚାରପତି ଅନୁରାଗ ଦେହୁରୀ ମାମଲାର ବିଚାର କରି ଅଭିଯୁକ୍ତ ମୂଷିଙ୍ଗା ମୁଠା ମାଝିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୨୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୩ ମାସ ୨୦ ଦିନ ଅଧିକ ଜେଲଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ପ୍ରକାଶ କରିଛନ୍ତି l

ଅଭିଯୋଗ ମୁତାବକ, ମୂଷିଙ୍ଗା ୨୦୨୧ରେ କୋଟଗଡ଼ ବ୍ଲକର ରଢ଼ା ସେବାଶ୍ରମର କୋଭିଡ୍‌ ହଷ୍ଟେଲରେ ନିୟୋଜିତ ଜଣେ ପାଚିକାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ପୋଲିସ ଆଇପିସିର ଦଫା ୨୩(ବି), ୪୪୮, ୩୫୪, ୩୫୪(ଏ), ୩୫୪(ବି), ୫୦୬, ୫୦୯ରେ ଏକ ମାମଲା (ନଂ.୭୭/୨୦୨୧) ରୁଜୁକରି ଅଭିଯୁକ୍ତ ମୂଷିଙ୍ଗାଙ୍କୁ ଗିରଫ କରିଥିଲା। ଏପରି କି ସିଟି କେସ୍‌(ନଂ.୭୩/୨୦୨୧)ରେ ଏକ ମାମଲା ରୁଜୁ ହୋଇଥିଲା। କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି। ମାମଲାକୁ ସରକାରୀ ଓକିଲ ସବିତା ସାମନ୍ତରାୟ ପରିଚାଳନା କରୁଥିଲେ।