ବାଂଲାଦେଶର ନୂଆ ରାଷ୍ଟ୍ରପତି ମିର୍ଜା ଫକରୁଲ୍: ଜାଣନ୍ତୁ ତାଙ୍କ ପତ୍ନୀଙ୍କ ଭାରତ କନେକ୍ସନ୍

ଢାକା,୨୦।୮: ବାଂଲାଦେଶ ନେସନାଲିଷ୍ଟ ପାର୍ଟି (BNP) ର ପ୍ରାର୍ଥୀ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ସଂସଦୀୟ ନିର୍ବାଚନରେ ୨୫୫ଟି ଭୋଟ୍ ପାଇବା ପରେ ବାଂଲାଦେଶର ୨୩ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓଲି ଅହମ୍ମଦଙ୍କୁ ୧୧ଟି ଦଳର ମେଣ୍ଟ ସମର୍ଥନ କରୁଥିଲା, କିନ୍ତୁ ସେ କେବଳ ୮୮ଟି ଭୋଟ୍ ପାଇବାରେ ସଫଳ ହୋଇଛନ୍ତି।
 ବାଂଲାଦେଶରେ ଏହା ପୂର୍ବରୁ ଶେଷ ଥର ପାଇଁ ୮ ଅକ୍ଟୋବର ୧୯୯୧ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ/ଲଢ଼େଇ ହୋଇଥିଲା। ୧୯୯୬, ୨୦୦୧, ୨୦୦୨, ୨୦୦୯, ୨୦୧୩, ୨୦୧୮ ଏବଂ ୨୦୨୩ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନଗୁଡ଼ିକରେ କେବଳ ଜଣେ ହିଁ ପ୍ରାର୍ଥୀ ଥିବାରୁ ଭୋଟିଂର ଆବଶ୍ୟକତା ପଡ଼ି ନଥିଲା।
ସଂସଦରେ BNP ର ଦୁଇ-ତୃତୀୟାଂଶ ବହୁମତ ଥିବାରୁ ଫକରୁଲଙ୍କ ବିଜୟ ଆଗରୁ ନିଶ୍ଚିତ ମନେହେଉଥିଲା। ତଥାପି ସମସ୍ତଙ୍କ ନଜର ଚୂଡ଼ାନ୍ତ ଭୋଟ୍ ଏବଂ ବିରୋଧୀ ପ୍ରାର୍ଥୀଙ୍କ ପ୍ରଦର୍ଶନ ଉପରେ ଥିଲା। ଶାସକ ଦଳର ମୁଖ୍ୟ ହ୍ୱିପ୍ ନୁରୁଲ ଇସଲାମ୍ ମୋନି ଜଣାଇଛନ୍ତି ଯେ ନବନିର୍ବାଚିତ ରାଷ୍ଟ୍ରପତି ଶୁକ୍ରବାର, ୨୧ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭:୩୦ ରେ ବଙ୍ଗଭବନରେ ଶପଥ ଗ୍ରହଣ କରିବେ।
କିଏ ଏହି ମିର୍ଜା ଫକରୁଲ୍ ଇସଲାମ୍?
ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ଠାକୁରଗାଁ-୧ ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି ଏବଂ ସ୍ଥାନୀୟ ସରକାରୀ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ସରକାରରେ ନିଜର ପୂର୍ବ କାର୍ଯ୍ୟକାଳ ମଧ୍ୟରେ ସେ କୃଷି ରାଷ୍ଟ୍ରମନ୍ତ୍ରୀ ଏବଂ ପରବର୍ତ୍ତୀ ସମୟରେ ଅସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରଣାଳୟରେ ମଧ୍ୟ ସମାନ ପଦବୀରେ କାର୍ଯ୍ୟ କରିଥିଲେ।
ପତ୍ନୀ କୋଲକାତାରେ ପଢ଼ିଛନ୍ତି
ମିର୍ଜା ଫକରୁଲ୍ ଇସଲାମଙ୍କ ଜନ୍ମ ୨୬ ଜାନୁଆରୀ ୧୯୪୮ ରେ ଠାକୁରଗାଁ ଜିଲ୍ଲାରେ ହୋଇଥିଲା। ତାଙ୍କ ପିତା ମିର୍ଜା ରୁହୁଲ ଅମୀନ ଜଣେ ପୂର୍ବତନ ସାଂସଦ ଥିଲେ ଏବଂ ମାଆ ମିର୍ଜା ଫାତିମା ଅମୀନ ଗୃହିଣୀ ଥିଲେ। ଆଲମଗୀରଙ୍କ ପତ୍ନୀଙ୍କ ନାମ ରାହତ୍ ଆରା ବେଗମ୍, ଯିଏ କୋଲକାତା ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରିଛନ୍ତି ଏବଂ ଢାକାର ଏକ ବୀମା କମ୍ପାନୀରେ କାର୍ଯ୍ୟ କରନ୍ତି। ଏହି ଦମ୍ପତିଙ୍କର ଡକ୍ଟର ଶମରୁହ ମିର୍ଜା ଏବଂ ମିର୍ଜା ସଫାରୁହ ନାମରେ ଦୁଇଜଣ ଝିଅ ଅଛନ୍ତି।

Share