ପ୍ରେମିକଙ୍କ ସହ ହୋଟେଲ ଯାଇଥିଲେ ନାବାଳିକା, ମିଳିଲା ମୃତଦେହ

ବରଗଡ଼ ଅଫିସ,୯।୫: ବରଗଡ଼ ରେଳ ଷ୍ଟେଶନ ନିକଟ ବିଜୟ ନାମକ ଏକ ହୋଟେଲରେ ସୋମବାର ଜଣେ ନାବାଳିକା(୧୭)ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ବରଗଡ଼ ଜିଲା ଗାଇସିଲେଟ ଥାନା ଭେଲୁଆପଦର ଗ୍ରାମର ବୋଲି ଜଣାପଡିଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ମୃତା ନାବାଳିକା ଜଣକ ବରଗଡ଼ ସହରର ଏକ କଲେଜର ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସୋମବାର ସକାଳେ ସେ ଏକ ସରକାରୀ ବସ୍‌ ଯୋଗେ ବରଗଡ଼ ଆସିଥିଲେ। ବରଗଡ଼ରେ ପହଞ୍ଚିବା ପରେ ସକାଳ ପ୍ରାୟ ସାଢେ ୯ଟାରେ ସେ ସୁରକ୍ଷିତ ଭାବେ ବରଗଡ଼ରେ ପହଞ୍ଚିଥିବା ନେଇ ଫୋନ୍‌ କରିଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି।

ଅନ୍ୟପକ୍ଷେ ପ୍ରାୟ ଘଣ୍ଟାଏ ପରେ କେହି ଜଣେ ଅଜଣା ଲୋକ ତାଙ୍କୁ ଫୋନ୍‌ କରି ତାଙ୍କ ଝିଅର ମୃତ୍ୟୁ ଘଟିଥିବା କହିବା ସହ ମୃତଦେହ ବରଗଡ଼ ପୁରୁଣା ହସ୍ପିଟାଲରେ ଥିବା ନେଇ ସୂଚନା ଦେଇଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି। ତେବେ ପୋଲିସ ଏହି ଘଟଣାରେ ବଲାଙ୍ଗୀର ସଦର ଥାନା ପରଧିଆପାଲି ଗ୍ରାମର ଯୁବକ ରାହୁଲ ବାଗ୍‌(୨୩)ଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ସେ ନାବାଳିକାଙ୍କୁ ଧରି ହୋଟେଲକୁ ଯାଇଥିଲେ। ହୋଟେଲର ଏକ କୋଠରିରେ ଥିବା ବେଳେ ନାବାଳିକା ଅଚେତ ହୋଇ ପଡିଥିଲେ। ଫଳରେ ତାଙ୍କୁ ଏକ ଅଟୋରେ ବରଗଡ଼ ପୁରୁଣା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ରାହୁଲ କହିଛନ୍ତି। ପୋଲିସ ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।