ଚିକିତ୍ସା ଆଳରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ: ଡାକ୍ତରଙ୍କୁ ଅଟକ, ତଦନ୍ତ ଜାରି

ବାରିପଦା ଅଫିସ,୧୩।୧୨: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ପାଇଁ ଆସିଥିବା ନାବାଳିକା ଛାତ୍ରୀଙ୍କୁ ମେଡିକାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣକ ଚିକିତ୍ସା ଆଳରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ସଂକ୍ରାନ୍ତରେ ପୀଡିତାଙ୍କ ମା’ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୦୬୨/୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷେ ପୋଲିସ ଡାକ୍ତରଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି।

ମିଳିଥିବା ସୂଚନା ମୁତାବକ, ସୋମବାର ଆଦିବାସୀ ହଷ୍ଟେଲର ଜନୈକା ନାବାଳିକା ଛାତ୍ରୀଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ହୋଇଥିଲା। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ପିଆର୍‌ଏମ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ନାବାଳିକା ଛାତ୍ରୀକୁ ସ୍ବାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିବା ଛାତ୍ରୀ ଜଣକ ପରିବାର ଲୋକଙ୍କୁ କହିଥିଲେ। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଡାକ୍ତର ଜଣକ ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଛାତ୍ରୀକୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇ ଟାଉନ ଥାନା ପୋଲିସ ଉତ୍ତେଜନା ପ୍ରକାଶ ପାଇବା ପରେ ହସ୍ପିଟାଲରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କୌଣସି ପ୍ରକାର ଅସଦାଚରଣ କରି ନାହାନ୍ତି। କେବଳ ଚିକିତ୍ସା ପାଇଁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା କହିଛନ୍ତି। ଅନ୍ୟପକ୍ଷେ ପୋଲିସ ନାବାଳିକା ଛାତ୍ରୀ ଏବଂ ପରିବାର ଲୋକଙ୍କ ବୟାନକୁ ରେକର୍ଡ କରି ତଦନ୍ତ ଜାରି ରଖିଛି।