ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ଯୁବକ ନିଜର ୧୭ ବର୍ଷୀୟା ନାବାଳିକା ଶାଳୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।
ପୋଲିସର କହିବା ଅନୁସାରେ, ସାନ ଅନତାରସିଂ ଗ୍ରାମର ପ୍ରମୋଦ ଶବର (୨୫) ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକା ଶାଳୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ନାବାଳିକା ଜଣକ ଛଅ ମାସର ଗର୍ଭବତୀ ହୋଇଥିଲେ। ଘଟଣାଟି ଦୀର୍ଘଦିନ ଧରି ଗୋପନରେ ଚାଲିଥିବା ବେଳେ ପରିବାର ଲୋକେ ଏହା ଜାଣିବା ପରେ ନାବାଳିକାଙ୍କ ପକ୍ଷରୁ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।
ଅଭିଯୋଗକୁ ଭିତ୍ତି କରି ଗାରାବନ୍ଧ ଥାନାରେ କେସ୍ ନଂ–୫୦/୨୬ ରେ ପୋକ୍ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଥିଲା। ଡାକ୍ତରୀ ପରୀକ୍ଷାରେ ନାବାଳିକା ଛଅ ମାସର ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା।
ତଦନ୍ତ ପରେ ପୋଲିସ ଅଭିଯୁକ୍ତ ପ୍ରମୋଦ ଶବରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ସୂଚନା ଦେଇଛନ୍ତି।