ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଘଟଣାର ଦୀର୍ଘ ୨ ବର୍ଷ ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଲିଗା ସିଅ (୨୭)।
ପାଟପୁର ଥାନା ମାମଲା ନଂ ୨୮୭/୨୪ ଅନୁଯାୟୀ, ତଦନ୍ତକାରୀ ଅଧିକାରୀ ଏସ.ଆଇ. ଶ୍ରୀନିବାସ ଦାସ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରହ୍ମପୁର ପୋକ୍ସୋ (POCSO) କୋର୍ଟକୁ ଚାଲାଣ କରିଥିଲେ। ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୯/୦୪/୨୦୨୪ ରିଖରେ ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ୯ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀ ଜଣକ ହଠାତ୍ ଘରୁ ନିଖୋଜ ହୋଇଯାଇଥିଲେ। ଏନେଇ ଛାତ୍ରୀଙ୍କ ବାପା ପାଟପୁର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଅପହରଣ କରି ବେଙ୍ଗାଲୁରୁ ନେଇ ପଳାଇଛି।
ପୋଲିସ ଟିମ୍ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ଅଭିଯୁକ୍ତର ମୋବାଇଲ୍ ଫୋନ୍ ଟ୍ରାକ୍ କରି ଦୁଇ ଦୁଇ ଥର ବେଙ୍ଗାଲୁରୁ ଯାଇ ସେଠାକାର ପୋଲିସ ସହାୟତାରେ ଚଢ଼ାଉ କରିଥିଲା। ମାତ୍ର ଅଭିଯୁକ୍ତ ଜଣଙ୍କ ବାରମ୍ବାର ନିଜର ଲୋକେସନ୍ ବଦଳାଉଥିବାରୁ ପୋଲିସ ତାକୁ ଧରିବାରେ ବିଫଳ ହୋଇଥିଲା।
ମଙ୍ଗଳବାର ଦିନ ଅଭିଯୁକ୍ତ ଲିଗା ସିଅ ସେହି ନାବାଳିକା ଛାତ୍ରୀଙ୍କୁ ଧରି ଟ୍ରେନ୍ ଯୋଗେ ବେଙ୍ଗାଲୁରୁରୁ ନିଜ ଗାଁକୁ ଫେରୁଥିବା ନେଇ ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା କ୍ଷଣି ତଦନ୍ତକାରୀ ଅଧିକାରୀ ସଦଳବଳେ ସାଦା ପୋଷାକରେ ବ୍ରହ୍ମପୁର ରେଲୱେ ଷ୍ଟେଶନ ଇଲାକାରେ ଛକି ରହିଥିଲେ। ଟ୍ରେନ୍ ପହଞ୍ଚିବା ପରେ ପୋଲିସ ଟିମ୍ କୌଶଳକ୍ରମେ ପ୍ରଥମେ ନାବାଳିକା ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ଏବଂ ପରେ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲା।
ଗିରଫ ଏବଂ ଉଦ୍ଧାର ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିଲା। ଏହାପରେ ପୀଡ଼ିତା ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି (CWC) ରେ ହାଜର କରାଯାଇ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଧାରା ୧୬୪ ଅନୁଯାୟୀ ବୟାନ ରେକର୍ଡ କରାଯାଇଛି। ପାଟପୁର ଥାନା ଆଇଆଇସି (IIC) ଦୀପ୍ତି ରଞ୍ଜନ ବେହେରାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଛାତ୍ରୀଙ୍କୁ ତାଙ୍କ ମାତାପିତାଙ୍କ ଜିମା ଦିଆଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

