ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଜମନକିରା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଶାସନ ଥାନା ଅନ୍ତର୍ଗତ ତବଲା ଗ୍ରାମର ନବଘନ ବାରିକଙ୍କ ପୁଅ ବ୍ରଜକିଶୋର ଓରଫ କିଶୋର (୨୭)।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍‌ ୨୪ ତାରିଖରେ ଅଭିଯୁକ୍ତ କିଶୋର ଜଣେ ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ଯାଇଥିଲେ। ସେଠାରେ ନାବାଳିକାଙ୍କ ଇଚ୍ଛା ବିରୋଧରେ ଅଭିଯୁକ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ଜମନକିରା ଥାନାରେ ମାମଲା କେସ୍‌ ନଂ- ୧୧୮/୨୬ରେ ବିଭିନ୍ନ ଦଫାରେ ମାମଲା କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଟିମ କେରଳରୁ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଅଭିଯୁକ୍ତ କିଶୋରଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ସମ୍ବଲପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଓ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Dharitri – Odisha’s No.1 Odia Daily