କେନ୍ଦ୍ରାପଡ଼ା, ୧୭।୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସନ୍ଦେହଘେରକୁ ଆସିଥିବା ୨ ଯୁବକଙ୍କୁ ପୋଲିସ ଥାନାକୁ ଉଠାଇଆଣି ପଚରାଉଚରା କରୁଛି। ୧୨ ବର୍ଷୀୟା ପୀଡ଼ିତାଙ୍କ ବୟାନ ଅନୁଯାୟୀ ସେମାନଙ୍କ ଘର ଛତିଶଗଡ଼ ରାଜ୍ୟ ବିଳାସପୁର ଥାନା ଅଞ୍ଚଳରେ। ଦୀର୍ଘଦିନ ଧରି କେନ୍ଦ୍ରାପଡ଼ାରେ ରହି ସେମାନେ ଝାଡୁ ବ୍ୟବସାୟ କରୁଛନ୍ତି। ସୋମବାର ରାତି ପ୍ରାୟ ସାଢ଼େ ଗୋଟାଏରେ ସେ ପରିସ୍ରା ପାଇଁ ଉଠିଥିଲେ। ଏହି ସମୟରେ ନିକଟ ଗ୍ରାମର ଆକାଶ ଓ ଅନ୍ୟ ଜଣେ ଯୁବକ ଅତର୍କିତଭାବେ ତାଙ୍କ ମୁହଁକୁ ଚାପି ନିକଟସ୍ଥ କାଳୀମନ୍ଦିର ନିକଟକୁ ଟେକିନେଇଥିଲେ। ସେଠାରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପାଟିକଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଉଭୟ ବଳାତ୍କାର କରିଥିଲେ। ଏହି ସମୟରେ ଆକାଶଙ୍କ ହାତକୁ ସେ କାମୁଡ଼ି ଦେଇ ପାଟି କରିବାରୁ ପରିବାର ଲୋକେ ଚାଲିଆସିଥିଲେ। ଏହାପରେ ଅଭିଯୁକ୍ତ ଆକାଶ ଓ ସାଥୀ ଯୁବକ ସେଠାରୁ ଖସି ପଳାଇ ଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ଏକ ମାମଲା(ନଂ.୩୭୩/୨୬) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି ବୋଲି ସେ କହିଛନ୍ତି।