ଭୁବନେଶ୍ୱର,୨୭।୫ ଓଡ଼ିଶାରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିବା ଦେଖାଯାଉଛି।
ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।
ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟର ବରିଷ୍ଠ ସଦସ୍ୟମାନେ ମଧ୍ୟ ମନ୍ତ୍ରିମଣ୍ଡଳ ବିସ୍ତାର ସମ୍ଭାବନାକୁ ନେଇ ସଂକେତ ଦେଇସାରିଛନ୍ତି। ଏହା ଫଳରେ କେଉଁମାନେ ନୂତନ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଓ କେହି କେହି ବଦଳି ହେବେ ସେନେଇ ଚର୍ଚ୍ଚା ଜୋର୍ ଧରିଛି।
ରାଜନୈତିକ ବିଶ୍ଳେଷକମାନେ ମନେ କରୁଛନ୍ତି ଯେ, ଏହି ସମ୍ପ୍ରସାରଣ ମାଧ୍ୟମରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଏହା ସହିତ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଆଗାମୀ ମନ୍ତ୍ରିମଣ୍ଡଳ ବିସ୍ତାରକୁ ନେଇ ଅପେକ୍ଷା ଓ ଉତ୍ସୁକତା ବଢ଼ିଚାଲିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଥମେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଭେଟିବା କଥା ମନ୍ତ୍ରୀ ପୂଜାରୀଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମଝିରେ ମଝିରେ ନୂଆଦିଲ୍ଲୀ ଗସ୍ତ କରିବା ଏକ ସ୍ବାଭାବିକ ପ୍ରକ୍ରିୟା। ଯେହେତୁ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି ସେଥିଲାଗି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ତ୍ତି ଉତ୍ସବରେ ଯୋଗଦେବାକୁ ଆସିବେ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯେଉଁ ବଡ଼ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇସାରିଛି ପ୍ରଧାନମନ୍ତ୍ରୀ ସେଗୁଡ଼ିକର ଉଦ୍ଘାଟନ କରିବେ ଏବଂ ଯେଉଁ ପ୍ରକଳ୍ପ କାମ ଆରମ୍ଭ ହେବ ତା’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସେ କହିଛନ୍ତି। ରାଜ୍ୟରେ ଖାଲି ପଡ଼ିଥିବା ୬ଟି ମନ୍ତ୍ରୀ ପଦ ପୂରଣ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ସେଥିରେ କେବଳ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଥା ନୁହେଁ, ନିଗମ ଓ ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଦଳ ଏବଂ ସରକାର ଏହା ଭିତରେ ନିଗମ ଓ ବୋର୍ଡରେ ନିଯୁକ୍ତି ନେଇ ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏହା ଭିତରେ ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ହୋଇଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଭାଜପା ସରକାରକୁ ଆସିବାର ୨ବର୍ଷ ପୂର୍ତ୍ତି ଆସନ୍ତା ଜୁନ୍ ୧୨ ତାରିଖରେ ଅନୁଷ୍ଠିତ ହେବ। ଚଳିତ ଥର ପୂର୍ତ୍ତି ଉତ୍ସବ ନିରଡାମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ତ୍ତି ଉତ୍ସବ ପାଳନହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ନବୀନଙ୍କୁ ଭେଟି ମଧ୍ୟ ସେ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ଦୀର୍ଘଦିନ ହେବ ରାଜ୍ୟରେ ଖାଲିଥିବା ୬ ମନ୍ତ୍ରୀ ପଦ ପୂରଣ ଏବଂ କେତେଜଣଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇ ନୂଆ ମୁହଁକୁ ସାମିଲ କରାଯିବ ବୋଲି ଆଲୋଚନା ହୋଇଆସୁଛି। ମୁଖ୍ୟମନ୍ତ୍ରୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଆହୁରି ଜୋର୍ ଧରିଛି। ମନ୍ତ୍ରୀ ପୂଜାରୀଙ୍କ ପ୍ରତିକ୍ରିୟା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣଠାରୁ ଆରମ୍ଭକରି ନିଗମ ଓ ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ କିଛିଦିନ ତଳେ ନୀତିନ୍ ନବୀନ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକାଧିକ ବୈଠକ କରିଥିଲେ। ଏହି ସମୟରେ ମଧ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ ଓ ବୋର୍ଡରେ ନିଯୁକ୍ତି ନେଇ ଆଲୋଚନା ହୋଇଥିଲା ବୋଲି ଶୁଣିବାକୁ ମିଳିଥିଲା। କୋର୍ କମିଟି ବୈଠକ ସମୟରେ କେତେଜଣ ନେତା ନୀତିନ୍ଙ୍କୁ ନିଗମ ଓ ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ଯୋଗୁ ଦଳରେ ବହୁ ନେତା ଯେଉଁମାନେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି, ସେମାନେ ଅସନ୍ତୁଷ୍ଟ ଅଛନ୍ତି ବୋଲି କହିଥିଲେ। ଏହାପରେ ଖୁବ୍ଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି କରାଯିବ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଣାଇଥିଲେ ବୋଲି ସୂତ୍ରରୁ ଜଣାପଡ଼ିଥିଲା। ଏହାର କିଛିଦିନ ଆଗରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଠାରେ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏସବୁ ଖବର ଆସିବା ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଥିଲେ।
Dharitri – Odisha’s No.1 Odia Daily