ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ବିବରଣୀ ପ୍ରଦାନ କରିଛନ୍ତି। ସୂଚନାନୁଯାୟୀ, ରାଜ୍ୟରେ ନୂତନ ରାଶନ କାର୍ଡ ପାଇଁ ମୋଟ ୨୧ ଲକ୍ଷ ୮୭ ହଜାର ୦୮୫ ଟି ଆବେଦନ ପ୍ରାପ୍ତ ହୋଇଥିଲା। ସେଥିମଧ୍ୟରୁ ୧୬ ଲକ୍ଷ ୯୯ ହଜାର ୪୫୧ ଟି ଆବେଦନର କ୍ଷେତ୍ର ତଦାରଖ/ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନୂତନ ଯୋଗ୍ୟ ବିବେଚିତ ହୋଇଥିବା ୭ ଲକ୍ଷ ୧୭ ହଜାର ୭୯୦ ପରିବାରର ୧୪ ଲକ୍ଷ ୨୧ ହଜାର ୨୨୪ ଜଣ ସଦସ୍ୟଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କରାଯାଇସାରିଛି। ତେବେ ଯାଞ୍ଚ ପରେ ୯ ଲକ୍ଷ ୮୧ ହଜାର ୬୬୧ ଟି ଆବେଦନ ପତ୍ର ଅଯୋଗ୍ୟ ପ୍ରମାଣିତ ହୋଇ ବାତିଲ ହୋଇଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୭ ହଜାର ୬୩୪ ଟି ଆବେଦନର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।