ମାହାଙ୍ଗା ଡବଲ ମର୍ଡର ସହ ମନ୍ତ୍ରୀଙ୍କ ଲିଙ୍କ୍‌ର ତଦନ୍ତ ହେବ

ନିଶ୍ଚିନ୍ତକୋଇଲି,୨୬ା୮(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡର୍ବଲ ମର୍ଡର ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ହୋଇଥିବା ଅଭିଯୋଗର ସାନି ତଦନ୍ତ କରିବାକୁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍‌ଏଫ୍‌ସି) । କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ମନ୍ତ୍ରୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ମାହାଙ୍ଗା ଥାନା ଅଧୀନ ନୃତ୍ତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ଗତ ଜାନୁୟାରୀ ୨ରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଏପରି କି ପୋଲିସ ରୁଜୁ କରିଥିବା ମାମଲାରେ ମନ୍ତ୍ରୀ ଜେନାଙ୍କ ନାମ ଅଭିଯୁକ୍ତଙ୍କ ତାଲିକାରେ ରହିଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ଜେନାଙ୍କ ନାମକୁ ଚାର୍ଜଶିଟ୍‌ରୁ କାଟି ଦେଇଥିଲା। ଏହାକୁ ବିରୋଧ କରି ମୃତ କୁଳମଣିଙ୍କ ପୁଅ ରମାକାନ୍ତ ଜେଏମ୍‌ଏଫ୍‌ସି କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିଶନ ଦାୟର କରିଥିଲେ। ଯାହାକି ନଂ. ୨୧୭/୨୦୨୧ରେ ପଞ୍ଜୀକୃତ ହୋଇଥିଲା। ଉକ୍ତ ମାମଲାର ଶୁଣାଣି କରି ମାଜିଷ୍ଟ୍ରେଟ ମନ୍ତ୍ରୀ ଜେନାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।