ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ ଭବନରେ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀର ସମୀକ୍ଷା କରୁଥିବାବେଳେ ଲୋକସେବା ଭବନ ମନ୍ତ୍ରୀ କରିଡର ଖାଁ ଖାଁ ଲାଗୁଥିଲା। ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଓ ବିଭିନ୍ନ ବିଭାଗର ସଚିବମାନେ ବାଇକ ଯୋଗେ ଲୋକସେବା ଭବନକୁ ଆସୁଥିବା ପରିଲକ୍ଷିତ ହୋଇଥିଲା। ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଭବନ ସମେତ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କାଳେ ଆନ୍ଦୋଳନକାରୀମାନେ ସଚିବାଳୟ ଭିତରକୁ ପଶି ଆସିବେ ତାକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବଳୟ
ସୃଷ୍ଟି ହୋଇଥିଲା। ଲୋକସେବା ଭବନର ପ୍ରମୁଖ ଗେଟ୍ ୧୦ଟା ୧୫ମିନିଟରେ ବନ୍ଦ ରଖାଯାଇଥିଲା। ପଛପଟ ଗେଟ୍(୫ନମ୍ବର) ଦେଇ ଗାଡ଼ି ଯାତାୟାତ କରୁଥିବା ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ଇଣ୍ଡିଆ ବ୍ଲକର କର୍ମକର୍ତ୍ତା ଏବଂ ମହିଳା କର୍ମକର୍ତ୍ତାମାନେ ସଚିବାଳୟ ଭିତରକୁ ଧସେଇ ପଶିବାକୁ ଜୋରଦାର ଉଦ୍ୟମ କରିଥିଲେ। ପୋଲିସ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସେମାନଙ୍କୁ ପିଏମ୍ଜି ନିକଟରେ ଅଟକାଇଥିଲା। ଏହି ସମୟରେ ପୋଲିସ ଓ ଇଣ୍ଡିଆ ବ୍ଲକର କର୍ମକର୍ତ୍ତାଙ୍କ ମଧ୍ୟରେ ବଚସା ଓ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ଗୃହ ବିଭାଗ ପକ୍ଷରୁ ବୁଧବାର ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିବାରୁ ସରକାରୀ କର୍ମଚାରୀମାନେ ସକାଳ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବା ପରିଲକ୍ଷିତ ହୋଇଥିଲା।