ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ସହିତ ମହାନଦୀରେ ରହିଥିବା ଛତିଶଗଡ଼ର ବିଭିନ୍ନ ବ୍ୟାରେଜରୁ ହଠାତ୍ ମାତ୍ରାଧିକ ଜଳ ନିଷ୍କାସନ ଯୋଗୁ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ଉକ୍ତ ଗ୍ରାମଗୁଡ଼ିକୁ ପଶି ଆସିବାରୁ ସେଭଳି ସ୍ଥିତି ଉପୁଜିଥିଲା। ଏଥିରେ ବହୁ ଲୋକଙ୍କ ଘରଦ୍ୱାର ଉଜୁଡି ଯାଇଥିବାବେଳେ ବ୍ୟାପକ ଫସଲହାନି ମଧ୍ୟ ହୋଇଛି।
ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବନ୍ୟା ପ୍ରଭାବିତ ଗ୍ରାମଗୁଡିକୁ ପରିଦର୍ଶନ ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ମନ୍ତ୍ରୀ ପୂଜାରୀ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଜୀବନଯାପନ, ଯାତାୟାତ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସେହିପରି ଅଧିକାରୀମାନଙ୍କଠାରୁ ବନ୍ୟାର ବର୍ତ୍ତମାନ ସ୍ଥିତି, ପ୍ରଭାବିତ ଅଞ୍ଚଳ ଓ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ସୂଚନା ନେଇଥିଲେ।
ବନ୍ୟା ବିପନ୍ନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଆବଶ୍ୟକ ସମୟରେ ରିଲିଫ, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବନ୍ୟା ପରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ଲୋକଙ୍କୁ ନିୟମାନୁସାରେ ସହାୟତା ଯୋଗାଇଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ପରିଦର୍ଶନ ସମୟରେ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ଜିଲାପାଳ ଆଦିତ୍ୟ ଗୋୟଲ, ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କ ସମେତ ବିଭାଗୀୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।