ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ଏପରିକି ପ୍ରଭାବିତ ଅଞ୍ଚଳର ସ୍ଥିତି, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି।
ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ପେଶାଲ ରିଲିଫ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ମଧ୍ୟ ଉପସ୍ଥିତ ଥିଲେ।
ବନ୍ୟାଞ୍ଚଳ ଗସ୍ତ ପୂର୍ବରୁ ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନରେ ରାଜ୍ୟର ବର୍ଷା ଓ ବନ୍ୟା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ସମସ୍ତ ଜିଲାର ଜଲାପାଳ ଏବଂ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କ ସହାୟତା ଏବଂ ଆବଶ୍ୟକ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି।