ପ୍ରଣବଙ୍କ ବିୟୋଗରେ ମନ୍ତ୍ରୀ, ରାଜନେତାଙ୍କ ଶୋକ

ଭୁବନେଶ୍ୱର,୧।୯(ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଣବଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍‌ କରି ଧର୍ମେନ୍ଦ୍ର ଶୋକ ବାର୍ତ୍ତାରେ କହିଛନ୍ତି, ପ୍ରଣବଙ୍କ ବିୟୋଗ ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ତାଙ୍କ ବିୟୋଗରେ ଭାରତୀୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, ପ୍ରଣବ ମୁଖାର୍ଜୀ ଥିଲେ ଜଣେ ପ୍ରକୃତ ଭାରତ ରତ୍ନ। ଦେଶର ଇତିହାସ, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ତାଙ୍କର ପ୍ରଗାଢ ଜ୍ଞାନ ଥିଲା। ସେ ଜଣେ ଉଚ୍ଚକୋଟୀର ସାଂସଦ ଥିଲେ। ସମ୍ବିଧାନ କ୍ଷେତ୍ରରେ ତାଙ୍କର ପ୍ରଗାଢ଼ ଜ୍ଞାନ ରହିଥିଲା। ଦେଶ ଏକ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତାଙ୍କୁ ହରାଇଲା, ଯାହା ପୂରଣ ହେବା ଅତ୍ୟନ୍ତ କଷ୍ଟକର। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସେ ନିଜର ସମବେଦନା ଜଣାଇଛନ୍ତି। ପ୍ରଣବଙ୍କ ବିୟୋଗରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ଅଖିଳ ଭାରତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ, କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି, ମୁଖାର୍ଜୀ ଭାରତର ଜଣେ ଯୋଗ୍ୟ ସନ୍ତାନ ଥିଲେ। ସମସ୍ତ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ଥିଲା। ତାଙ୍କର ଏକ ପ୍ରତିଷ୍ଠିତ ରାଜନୈତିକ ଜୀବନ ଥିଲା। ବିଚାରବନ୍ତ ନିଷ୍ପତ୍ତି ଏବଂ ଅସୀମ ପ୍ରଶାସନିକ ଦକ୍ଷତା ଯୋଗୁ ତାଙ୍କୁ ସମାଜର ସବୁ ବର୍ଗର ଲୋକମାନେ ତାଙ୍କୁ ଭଲ ପାଉଥିଲେ। ଜାତୀୟ ବିଷୟ ସମାଧାନ ଦିଗରେ ଥିବା ଅନନ୍ୟ ଦକ୍ଷତା ଯୋଗୁ ସେ ସବୁଦିନ ପାଇଁ ମନେ ରହିବେ। ତାଙ୍କ ବିୟୋଗରେ ଏକ ଗୌରବମୟ ଜୀବନର ଅନ୍ତ ଘଟିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।