ମାନବିକତା ଦେଖାଇଲେ ମନ୍ତ୍ରୀ: ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ପହଞ୍ଚାଇଲେ ଡାକ୍ତରଖାନାରେ

ସଇଁତଲା,୨୨।୧: ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଦୁର୍ଘଟଣାଗ୍ରସ୍ତ ଜଣେ ମହିଳାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ସଇଁତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ମାନବିକତା ଦେଖାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବଡ଼ମାଳ ଗୋଳାବାରୁଦ କାରଖାନା କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ମିଶ୍ର ତାଙ୍କର ସ୍ତ୍ରୀ ସୁନୀତାଙ୍କୁ ଧରି ଏକ ବାଇକରେ କୌଣସି କାମରେ ସଇଁତଲା ଆସୁଥିଲେ। ବରଗାଁଛକଠାରେ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଟ୍ରକ (ନଂ.ଓଡି୦୪କେ-୪୨୩୯) ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ରାସ୍ତା କଡ଼ରେ ଛିଟିକି ପଡିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା। ଏହି ସମୟରେ ମନ୍ତ୍ରୀ ସାହୁ ବଲାଙ୍ଗୀରରୁ ଫେରୁଥିବା ବେଳେ ଭିଡ଼ ଦେଖି ଅଟକି ଥିଲେ। ମନ୍ତ୍ରୀ ସାହୁ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ନିଜ ଗାଡିରେ ସଇଁତଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡ଼ାକ୍ତର ନମିତା ବିଶି ମହିଳାଙ୍କ ଚିକିତ୍ସା କରି ତାଙ୍କର ଗୋଡ଼ ଓ ହାତ ଭାଙ୍ଗି ଯାଇଥିବା ଜାଣିବାକୁ ପାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜକୁ ଏକ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ।