ଉପନିର୍ବାଚନ ଜିତିବା ନେଇ କର୍ମୀଙ୍କୁ ପାଠ ପଢ଼ାଇଲେ ଶିକ୍ଷାମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୦।୫: ବ୍ରଜରାଜନଗର ଉପନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ଦଳୀୟ ନେତୃବୃନ୍ଦ ଜୋରଦାର ରଣନୀତି ଚଳାଇଛନ୍ତି। ଏନେଇ ପ୍ରମୁଖ ଦଳର ନେତା ମାରାଥନ କର୍ମୀ ସମ୍ମିଳନୀ କରିବା ସହିତ ଗାଁକୁ ଗାଁ ବୁଲି ପ୍ରଚାର ଚଳାଇଛନ୍ତି।
ଇତିମଧ୍ୟରେ ବିଜେଡିର ଷ୍ଟାର ପ୍ରଚାରକ ତଥା ଶିକ୍ଷାମନ୍ତ୍ରୀ ସମୀର ଦାସ ଲଖନପୁର ବ୍ଲକ ୩ ନମ୍ବର ଜୋନ ଦାୟିତ୍ୱରେ ଥିବାବେଳେ ୧୦ ପଞ୍ଚାୟତର ଜନପ୍ରତିନିଧି ଏବଂ ଦଳର କର୍ମୀଙ୍କୁ ନେଇ ବନ୍ଧବାହାଲରେ କର୍ମୀ ସମ୍ମିଳନୀ ମାଧ୍ୟମରେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦାସ ଉପସ୍ଥିତ କର୍ମୀଙ୍କୁ ନିର୍ବାଚନ ପରିଚାଳନା ସମ୍ପର୍କରେ ପାଠ ପଢ଼ାଇ ଗୁରୁମନ୍ତ୍ର ଦେଇଥିଲେ। ଏହା ସହିତ ଦଳୀୟ ପ୍ରାର୍ଥିନୀ ଅଳକାଙ୍କୁ ବିଜୟୀ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ସମ୍ମିଳନୀରେ ପୂର୍ବତନ ଏମ୍‌ପି ପ୍ରଭାସ ସିଂହ, ବିଧାୟକ ସରୋଜ ମେହେର, ପୂର୍ବତନ ବିଧାୟକ ଯୋଗେଶ ସିଂହ, ସୌଭାଗ୍ୟ ନାୟକ, ମହିଳା ମୋର୍ଚ୍ଚା ପର୍ଯ୍ୟବେକ୍ଷକ ସନ୍ଧ୍ୟାରାଣୀ ଲାକ୍ରା, ଜିଲା ପରିଷଦ ସଦସ୍ୟା ପୁଷ୍ପଲତା ସେଠ, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ସୁଜାତା ଡିଗଲ ପ୍ରମୁଖ ନେତୃବୃନ୍ଦ ଯୋଗଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଟିକେଶ୍ବର ସେନାପତି ସମ୍ମିଳନୀକୁ ପରିଚାଳନା କରିଥିଲେ।