ନବ ଦାସ ହତ୍ୟା ମାମଲା: ୧୦ମାସ ପରେ ପ୍ରଥମ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ

ବ୍ରଜରାଜନଗର,୧୪ା୧୨(ବିଜୟ ବରାଡ଼): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ବ୍ରଜରାଜନଗର ନିବାସୀ ଚନ୍ଦନ ସିଂ ନୋଟିସ ପାଇବା ପରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌(ଏଡିଜେ) କୋର୍ଟରେ ନିଜ ପକ୍ଷ ରଖିଥିଲେ। ଏହି ସମୟରେ ଡିଫେନ୍ସ କାଉନସିଲ ଆଡ୍‌ଭୋକେଟ ନରେଶ ନାୟକ ଓ ସହଯୋଗୀ ଆଇନଜୀବୀ କେ.ସି. ପଟେଲଙ୍କ ବିଭିନ୍ନ ପ୍ରଶ୍ନର ସେ ଉତ୍ତର ଦେଇଥିଲେ।

ହତ୍ୟାକାଣ୍ଡର ପ୍ରାୟ ୧୦ମାସ ୧୫ଦିନ ପରେ ପ୍ରଥମ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ୨୯ ଜାନୁୟାରୀ ୨୦୨୩ରେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ପହଞ୍ଚି ଥିଲେ। ଏହି ସମୟରେ ସେହି ଅଞ୍ଚଳର କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ସାକ୍ଷ୍ୟ ଦେଇଥିବା ଡିଫେନ୍ସ କାଉନସିଲ ଆଇନଜୀବୀ ନରେଶ କହିଛନ୍ତି। ଅପରପକ୍ଷେ ନବ ଦାସ ହତ୍ୟାକାଣ୍ଡର ପକ୍ଷ ରଖୁଥିବା ସରକାରୀ ଆଇନଜୀବୀ ଦୋଷୀଙ୍କୁ ଆଇନ ଅନୁଯାୟୀ ଥିବା ଦଣ୍ଡାଦେଶ ପାଇଁ ଅନୁରୂପ କାର୍ଯ୍ୟ କରୁଥିବା କହିଛନ୍ତି। ଅଦାଲତଙ୍କ ପକ୍ଷରୁ ଆସନ୍ତା ଜାନୁୟାରୀ ୮ରେ ଦ୍ୱିତୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ କରାଯିବାର ଦିନ ଧାର୍ଯ୍ୟ କରାଯାଇଥିବା ଆଇନଜୀବୀ ନରେଶ ସୂଚନା ଦେଇଛନ୍ତି।