ଭୁବନେଶ୍ୱର,୭।୧୧ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ଓ ମନ୍ତବ୍ୟକୁ ନେଇ କାଉଣ୍ଟର କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲିକ। ନବୀନଙ୍କ ମନ୍ତବ୍ୟ ଉପରେ ବର୍ଷିବା ସହ ବିପଦ ସମୟରେ ଗଞ୍ଜାମବାସୀଙ୍କ ପାଖରେ ନବୀନ ପହଞ୍ଚି ନ ଥିଲେ ବୋଲି ସେ କହିଛନ୍ତି। ଏଥିପାଇଁ ଆଜି ଗଞ୍ଜାମ ଗସ୍ତ ସମୟରେ ନବୀନଙ୍କୁ ‘ଗୋ ବ୍ୟାକ୍’ ନାରା ଶୁଣିବାକୁ ପଡ଼ିଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଗୋକୁଳାନନ୍ଦ କହିଛନ୍ତି, ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ରାଜନୀତି ନ କରି ଲୋକଙ୍କ ପାଖରେ ଛିଡ଼ା ହେବା ଉଚିତ। ମାତ୍ର ବିଜେଡି ଟିମ୍ର ଗଞ୍ଜାମ ଗସ୍ତ ଏକ ରାଜନୈତିକ ରାଲିରେ ପରିଣତ ହୋଇଥିଲା। ଲୋକଙ୍କ ସମସ୍ୟା ଓ ଦୁର୍ଦ୍ଦଶାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଆମ ସରକାର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ବିପର୍ଯ୍ୟୟ ସ୍ଥିତିର ତଦାରଖ କରୁଥିଲେ। ଗଞ୍ଜାମ ଜିଲାର ପ୍ରଭାବିତ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି।
ବିପର୍ଯ୍ୟୟ ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ସହାୟତାକୁ ନେଇ ମନ୍ତ୍ରୀ ନିଜର ପକ୍ଷ ରଖିବା ସହ ନବୀନଙ୍କ ଗଞ୍ଜାମ ଗସ୍ତକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ସମାଲୋଚନା କରିଛନ୍ତି।