ପାରଳାଖେମୁଣ୍ଡି, ୨୩ା୭(ଗିରିଧାରୀ ପରିଚ୍ଛା): ରାଜ୍ୟର ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ଗଜପତି ଜିଲା ଗସ୍ତରେ ଆସିଥିବା ବେଳେ ଐତିହ୍ୟବାହୀ ପାରଳାଖେମୁଣ୍ଡି ରାଜପ୍ରାସାଦର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ପରିଦର୍ଶନ ପରେ ରାଜପ୍ରାସାଦର ପୁନରୁଦ୍ଧାର ଦାବି ସ୍ଥାନୀୟ ଅଞ୍ଚଳରେ ଆହୁରି ଜୋର ଧରିଛି।
ସୂଚନା ଅନୁଯାୟୀ, ମନ୍ତ୍ରୀ ଶ୍ରୀ ଜେନା ଗୁରୁବାର ଗଜପତି ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ସେ ପାରଳାଖେମୁଣ୍ଡି ରାଜପ୍ରାସାଦରେ ପହଞ୍ଚି କଲ୍ୟାଣୀ ଗଜପତିଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସ୍ଥାନୀୟ ବୁଦ୍ଧିଜୀବୀମାନେ ଐତିହ୍ୟପୂର୍ଣ୍ଣ ରାଜପ୍ରାସାଦର ଚରମ ଅବହେଳିତ ଓ ଭଗ୍ନପ୍ରାୟ ଅବସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଏହାର ତୁରନ୍ତ ପୁନରୁଦ୍ଧାର ପାଇଁ ସରକାରୀସ୍ତରରେ ହସ୍ତକ୍ଷେପ ଲୋଡ଼ିଥିଲେ।
ରାଜପ୍ରାସାଦ ଏବଂ ଐତିହାସିକ ମହାରାଜାଙ୍କ ଦରବାରର ଜରାଜୀର୍ଣ୍ଣ ସ୍ଥିତି ନିଜେ ପରିଦର୍ଶନ କରି ମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ଏହା ପ୍ରତି ସ୍ଥାନୀୟ ଲୋକଙ୍କ କ୍ଷୋଭ ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ସେ ମତ ଦେଇଥିଲେ। ତେବେ ପୁନରୁଦ୍ଧାର ନେଇ ସେ କୌଣସି ସ୍ପଷ୍ଟ ପ୍ରତିଶ୍ରୁତି ନ ଦେଇ, ସୁଯୋଗ ମିଳିଲେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଟିକୁ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।