ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦେଖାଇଲେ କଳାପତାକା

ଗୋଳାମୁଣ୍ଡା,୧।୧୧(ଡି.ଏନ.ଏ): ବହୁ ଚର୍ଚ୍ଚିତ ମହାଳିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଦିନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ପରିଦର୍ଶନ କରି ନ ଥିଲେ। ସୋମବାର ମନ୍ତ୍ରୀ ଦିବ୍ୟଶଙ୍କର ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟରେ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ସୋମବାର କେଗାଁଠାରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ଗସ୍ତକୁ ବିରୋଧ କରିଥିଲେ।

ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିବା ପାଇଁ କେଗାଁଠାରେ ପ୍ରସ୍ତୁତ ହୋଇ ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସ ସେମାନଙ୍କୁ ଆଗୁଆ କେଗାଁ ଥାନାକୁ ଆଣି ଅଟକ ରଖିଥିଲା । ତଥାପି କେଗାଁ ଥାନା ମୁଖ୍ୟ ରାସ୍ତା କଡରେ ଥିବାରୁ ଥାନା ଗେଟ ସମ୍ମୁଖକୁ ଚାଳିଆସି ଅଟକ ରହିଥିବା କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗାଡ଼ି ଅତିକ୍ରମ କଲାବେଳେ କଳାପତାକା ଦେଖାଇଥିଲେ । କଳାପତାକା ପ୍ରଦର୍ଶନରେ କଂଗ୍ରେସ ଜିଲା ଯୁବ ସଭାପତି ସାଉଲ ମଙ୍ଗରାଜ, ବ୍ଲକ କାର୍ଯ୍ୟକାରୀ ସଭାପତି ନଉକେଶ୍ବର ପୁଟେଲ, ମଣ୍ଟୁ ସାହୁ, ଡାକେ ଲହଜଲ, ଶରତ ଭୋଇ, ଲମ୍ବୁ ଜାଲଙ୍କ ସହ ଅନ୍ୟ କଂଗ୍ରେସ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।