ଭବାନୀପାଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର

ଭବାନୀପାଟଣା,୩୦।୧୦(ସ୍ବ.ପ୍ର.): ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଘଟଣା ନେଇ ହୁଲସ୍ଥୂଲ ହେଉଛି ରାଜ୍ୟ ରାଜନୀତି। ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଗସ୍ତ କରିଛନ୍ତି। ସେ ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ (ଓୟୁଏଟି) ଖେଳ ପଡ଼ିଆର ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) କାର୍ଡର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ ଏହା ବଣ୍ଟନ କରିବେ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି। ସେଠାରେ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ସଭା ହେବ ଓ ହେଲିପ୍ୟାଡ୍‌ କେଉଁଠି ତିଆରି ହେବ ତାହା ଚିହ୍ନଟ କରିଥିଲେ ମନ୍ତ୍ରୀ । ଏହି ସମୟରେ କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଏସ୍‌ପି ଡ. ଶ୍ରବଣ ବିବେକ ଏମ୍‌, ପିଡବ୍ଲ୍ୟୁଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବାବୁ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯେ, କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ଶାସକ ଦଳ ଉପରେ ବିରୋଧୀଙ୍କ ଆନ୍ଦୋଳନ, ବିକ୍ଷୋଭକୁ ନେଇ ରାଜନୀତି ଉଷ୍ଣତା ରହିଥିବା ବେଳେ ଏହାକୁ ଚେକ୍‌ପୋଷ୍ଟ ଦେବା ଲାଗି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।