ଭୁବନେଶ୍ୱର,୧୭।୬: ରାଜ୍ୟରେ ସ୍କୁଲ ଖୋଲିବା ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆସନ୍ତା ୨୦ ତାରିଖରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଖୋଲିବ ବୋଲି ମନ୍ତ୍ରୀ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୨୦ ତାରିଖରେ ହିଁ ସ୍କୁଲ ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଯାହା ଆବଶ୍ୟକ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।
୧୮ ବଦଳରେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟଧିକ ଖରା ଓ ଗରମ ଯୋଗୁ ଏପ୍ରିଲ ୨୩ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।


