ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସାମ୍ପ୍ରତିକ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟର ସମୀକ୍ଷା କରାଯାଇଛି।
ଏହି ବୈଠକରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ ଅଧ୍ୟକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝର ମମିତା ନାଏକ, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଏବଂ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବିଭାଗଓ୍ବାରୀ ଆକଳନ ଅନୁଯାୟୀ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, ପୋଲ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ଭିତ୍ତିଭୂମି, କୃଷି ଜନିତ କ୍ଷୟକ୍ଷତି ଏବଂ ଜଙ୍ଗଲ ଅଞ୍ଚଳର ସମୀକ୍ଷା କରାଯାଇଥିଲା। ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣର ପୁନରୁଦ୍ଧାର, ଜଳ ଯୋଗାଣ ବ୍ୟବସ୍ଥାର ମରାମତି, ଜରୁରୀକାଳିନ ମୁକାବିଲା ଦଳ ମୁତୟନ, ରିଲିଫ ବଣ୍ଟନ ଏବଂ ଅନ୍ୟାନ୍ୟ ପ୍ରଶମନ ମୂଳକ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ମନ୍ତ୍ରୀ ସମସ୍ତ ବିଭାଗର ପୁନରୁଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିବା ସହ, ଜରୁରୀକାଳିନ ସେବାଗୁଡ଼ିକର ଅବ୍ୟାହତ ଯୋଗାଣ ନିଶ୍ଚିତ କରିବାକୁ, ନିବିଡ଼ ସମନ୍ବୟ ରକ୍ଷା କରିବାକୁ ଏବଂ ଆଗାମୀ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ତୁରନ୍ତ ପଦକ୍ଷେପ ନେବା, ନିରନ୍ତର ନଜର ରଖିବା ଏବଂ ପ୍ରଭାବିତ ଲୋକଙ୍କୁ ସଠିକ୍‌ ସମୟରେ ସହାୟତା ଯୋଗାଇ ଦେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ମନ୍ତ୍ରୀ ନାଏକ ଆହ୍ବାନ ଦେଇଥିଲେ।

 

Dharitri – Odisha’s No.1 Odia Daily