ଆର୍ଥିକ ସ୍ଥିତିକୁ ବଞ୍ଚାଇଛି ଖଣି ରାଜସ୍ବ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):କୋଭିଡ୍‌-୧୯ ମହାମାରୀ ପରେ ରାଜ୍ୟର ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଟିକସ ଓ ଅଣଟିକସ କ୍ଷେତ୍ରରେ ରାଜସ୍ବ ଆଦାୟ ବଢୁଛି। ଚଳିତ ଆର୍ଥିକ ବର୍ଷର ମେ’ ମଧ୍ୟରେ ରାଜକୋଷକୁ ଖଣିକ୍ଷେତ୍ରରୁ ରାଜସ୍ବ ଅଭିବୃଦ୍ଧି ୫୦.୭୦ ପ୍ରତିଶତ ହୋଇଛି। ୨୦୨୧ ମେ’ ସୁଦ୍ଧା ଖଣିକ୍ଷେତ୍ରରୁ ରାଜସ୍ବ ଆଦାୟ ୫୭୬୮.୭୭ କୋଟି ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ସେହି ସମୟ ପର୍ଯ୍ୟନ୍ତ ୮୧୯୬.୧୮ କୋଟି ହୋଇଛି। ସେହିପରି ଏହି ସମୟ ମଧ୍ୟରେ ଅଣ ଲୁହାପଥର ଓ ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରିଗୁଡ଼ିକରୁ ରାଜସ୍ବ ଆଦାୟ ୪୨.୦୮ ପ୍ରତିଶତ ବଢ଼ିଛି। କେବଳ ମେ’ରେ ଖଣିକ୍ଷେତ୍ରରୁ ୪୪୩୮.୭୯ କୋଟି ଟଙ୍କା ଆଦାୟ ହୋଇଛି। ୨୦୨୦-୨୧ରେ ଖଣି ରାଜସ୍ବ ୭୪୬.୭୦ କୋଟି ହୋଇଥିବା ବେଳେ ୨୦୨୧-୨୨ରେ ୫୭୬୮.୭୭ କୋଟିରେ ପହଞ୍ଚିଥିଲା। ବଜାରରେ ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ରାଜସ୍ବ ବୃଦ୍ଧି ପାଇଛି ବୋଲି ଇସ୍ପାତ ଓ ଖଣି ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ଏହି ସମୟ ମଧ୍ୟରେ ରାଜ୍ୟ ସରକାର ୯୨୫୨.୬୭ କୋଟି ଟଙ୍କା ଆଦାୟ କରିଛନ୍ତି। ଉଭୟ ଟିକସ ଓ ଅଣ ଟିକସ ରାଜସ୍ବ ବାବଦରେ ଓଡ଼ିଶା ୩୮.୭୬ ପ୍ରତିଶତ ରେକର୍ଡ ଅଭିବୃଦ୍ଧି କରିଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ଏ ବାବଦରେ ୧୧୪୯୫.୭୪ କୋଟି ଟଙ୍କା ରାଜସ୍ବ ଆଦାୟ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷର ମେ’ ମାସ ମଧ୍ୟରେ ୧୫୯୫୦.୯୪ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଛି। ୨୦୨୧-୨୨ ମେ’ ସୁଦ୍ଧା ୫୩୫୯.୪୬ କୋଟି ଟଙ୍କା ନିଜସ୍ବ ଟିକସ ଆଦାୟ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୬୬୯୮.୨୭ କୋଟି ଟଙ୍କା ଆଦାୟ କରାଯାଇଛି।
ତେବେ ରାଜ୍ୟର ଆର୍ଥିକ ସ୍ଥିତି ଠିକ୍‌ ଥିବାରୁ ଆଗାମୀ ୩ ବର୍ଷ ପାଇଁ ବଜେଟ ନିଅଣ୍ଟ ଫିସିକାଲ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ବଜେଟ ମ୍ୟାନେଜ୍‌ମେଣ୍ଟ (ଏଫ୍‌ଆରବିଏମ୍‌) ଆଇନ-୨୦୦୫ ନିର୍ଦ୍ଧାରିତ ସୀମା ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୨.୩% ମଧ୍ୟରେ ରହିବ ବୋଲି ସରକାର ଆଶା ରଖିଛନ୍ତି, ଯଦ୍ଦ୍ବାରା ସରକାର ବିଭିନ୍ନ ଉନ୍ନୟନମୂଳକ କ୍ଷେତ୍ର ପାଇଁ ଖୋଲା ବଜାରରୁ ଋଣ କରିପାରିବେ।