ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ ଭୂମିର ବ୍ୟାପକ ପରିବର୍ତ୍ତନ ଏହି ଅଞ୍ଚଳର ପରିବେଶୀୟ ସନ୍ତୁଳନକୁ ପ୍ରଭାବିତ କରୁଛି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଯୋଗୁ ବଢ଼ୁଥିବା ତାପମାତ୍ରା, ଅନିୟମିତ ବର୍ଷା, ତୀବ୍ର ଗ୍ରୀଷ୍ମପ୍ରବାହ ଓ ଅତିବୃଷ୍ଟି ଖଣି ଅଞ୍ଚଳର ସମସ୍ୟାକୁ ଆହୁରି ଜଟିଳ କରୁଛି। ଏହାର ସିଧାସଳଖ ପ୍ରଭାବ ଶ୍ରମିକ, ଆଦିବାସୀ ସମ୍ପ୍ରଦାୟ, ଚାଷୀ ଓ ସ୍ଥାନୀୟ ଜନଜୀବନ ଉପରେ ପଡ଼ୁଛି।

ଯାଜପୁର ଜିଲାର ରତ୍ନଗର୍ଭା ଭାବେ ପରିଚିତ ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣିର ଖଣି ଅଞ୍ଚଳ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ପାଲଟି ଗଲାଣି। ଏଠାରେ ୨୨ଟି ଖଣି ଥିବାବେଳେ ସେଥିରୁ ୧୦ଟି କାର୍ଯ୍ୟକ୍ଷମ ଅଛି। ଖଣି ଖନନ ପାଇଁ ଜଙ୍ଗଲ ସଫା, ପାହାଡ଼ କାଟିବା ଓ ବିପୁଳ ପରିମାଣର ମାଟି ଖୋଳିବା ଦ୍ୱାରା ସ୍ଥାନୀୟ ପରିସଂସ୍ଥାନ ପ୍ରଭାବିତ ହେଉଛି। ଏଥିସହ ଖଣିରୁ ବାହାରୁଥିବା ବର୍ଜ୍ୟ ପାଣି ନିକଟସ୍ଥ ପୋଖରୀ, ବିଲରେ ମିଶୁଥିବାରୁ ଫସଲ ନଷ୍ଟ ହେବା ସହିତ ଅପରିଷ୍କାର ପାଣି ବ୍ୟବହାର କରି ଲୋକମାନେ ବିଭିନ୍ନ ଚର୍ମରୋଗ ଭୋଗୁଛନ୍ତି। ଏପରିକି ଖଣି ଅଞ୍ଚଳର ଲୋକମାନେ ସ୍ବଚ୍ଛ ପାନୀୟ ଜଳ ପାଇବାରୁ ମଧ୍ୟ ବଞ୍ଚତ୍ତ ହେଉଛନ୍ତି। ସୁକିନ୍ଦା ଖଣି ପରିସରରୁ ବିଷାକ୍ତ ବର୍ଜ୍ୟଜଳ ନିର୍ଗତ ହେଉଥିବା ଯୋଗୁ ଭୂତଳ ଜଳ ବ୍ୟବହାର କରି ଅଞ୍ଚଳବାସୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହୋଇଛି। ଏନେଇ ଏନ୍‌ଜିଟିରେ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ନିର୍ମାଣ ହୋଇଥିବା ୩ଟି ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରୁ ନିର୍ଦ୍ଧାରିତ ଗ୍ରାମଗୁଡିକରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚତ୍ପାରୁ ନାହିଁ। ସେହିପରି ସେଣ୍ଟ୍ରାଲ ଗ୍ରାଉଣ୍ଡ୍‌ ଓ୍ବାଟର ବୋର୍ଡ (ସିଜିଡବ୍ଲ୍ୟୁବି)ର ତଦନ୍ତ ରିପୋର୍ଟ ଅନୁଯାୟୀ, ସୁକିନ୍ଦା ଖଣି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ୨୩୩ଟି ଭୂତଳ ଜଳ ନମୁନା ମଧ୍ୟରୁ ବର୍ଷାଋତୁ ପୂର୍ବରୁ ୩୭ଟି ଏବଂ ବର୍ଷା ପରେ ୨୮ଟି ନମୁନାରେ ଅନୁମୋଦିତ ସୀମା (୦.୦୫ ମିଲିଗ୍ରାମ) ଠାରୁ ପ୍ରାୟ ୧୪ଗୁଣ ଅଧିକ କ୍ରୋମିୟମ୍‌ ମିଳିଛି।

କାର୍ଡ ଦେଖାଇଲେ ମିଳୁଛି ପିଇବା ପାଣି

ଭୂତଳ ଜଳ ଦୂଷିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ଗ୍ରାମଗୁଡ଼ିକରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚତ୍ପାରୁ ନାହିଁ। ତେଣୁ ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ପାଣି କାର୍ଡ କରାଯାଇଛି। ଗୋଟେ କାର୍ଡ ପିଛା ୨୦ଲିଟର ପିଇବା ପାଣି ପ୍ରଦାନ କରାଯାଉଥିବା ସୂଚନା ରହିଛି। ତେବେ ଗୋଟେ କାର୍ଡରେ କେବଳ ଗରାଏ କିମ୍ବା ବାଲ୍‌ଟି ଟିଏ ପିଇବା ପାଣି ମିଳୁଥିବାରୁ ତାହା ପର୍ଯ୍ୟାପ୍ତ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଯାହା ପାଖରେ ଏହି କାର୍ଡ ନାହିଁ ସେମାନେ ଏହି ଟ୍ୟାଙ୍କର ସୁବିଧାରୁ ବଞ୍ଚତ୍ତ ରହୁଛନ୍ତି।

ବିଷାକ୍ତ ପାଲଟିଛି ଭୂତଳ ଜଳ

ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡିଆପାଳ, ଭୀମଟାଙ୍ଗର, କାଳିଆପାଣି, ତଳଙ୍ଗି, ବାଉଁଶଅଣ୍ଟା, ସୁକୁରଙ୍ଗି, ଓସ୍ତପାଳ, କଳରଙ୍ଗୀଅଟା ଆଦି ଗ୍ରାମଗୁଡ଼ିକରେ ଭୂତଳ ଜଳ ବିଷାକ୍ତ ହୋଇପଡ଼ିଥିବାରୁ ଏହା ବ୍ୟବହାର ଉପଯୋଗୀ ନୁହେଁ। ତେଣୁ ଏହି ଗ୍ରାମଗୁଡ଼ିକରେ ଥିବା ନଳକୂପରେ ସରକାରଙ୍କ ପକ୍ଷରୁ ନାଲି ଛକି ଚିହ୍ନ ମରାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଗ୍ରାମରେ ପ୍ରତ୍ୟେକଙ୍କ ଘରେ କୂଅ ଥିବାବେଳେ ଖଣି ପାଇଁ ଏବେ ସେଗୁଡ଼ିକ ଶୁଖିଲା ପଡ଼ିଛି। ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ଗଁାଗୁଡ଼ିକରେ ପାନୀୟ ଜଳ ପହଞ୍ଚତ୍ ପାରୁ ନ ଥିବାରୁ ବାଧ୍ୟହୋଇ ଅଞ୍ଚଳବାସୀ ସେହି ନଳକୂପ ଉପରେ ନିର୍ଭରଶୀଳ ରହୁଛନ୍ତି।

ଖଣି ଏବେ ଆମ ପାଇଁ ବିକାଶ ନୁହେଁ, ବରଂ ବିନାଶର ବାଟ ଫିଟାଉଛି। ଖଣି ଖନନ ପାଇଁ ଜଙ୍ଗଲ ସଫା, ପାହାଡ଼ କାଟିବା ଓ ବିପୁଳ ପରିମାଣର ମାଟି ଖୋଳିବା ଦ୍ୱାରା ସ୍ଥାନୀୟ ପରିସଂସ୍ଥାନ ପ୍ରଭାବିତ ହେଉଛି। ଗଛଲତା ହ୍ରାସ ପାଇବା ଫଳରେ ଅଞ୍ଚଳର ପ୍ରାକୃତିକ ତାପ ନିୟନ୍ତ୍ରଣ କ୍ଷମତା କମୁଛି। ଖଣି ଖନନ ପାଇଁ ଭୂତଳ ଜଳ ନିଷ୍କାସନ ଓ ଶିଳ୍ପ କାର୍ଯ୍ୟରେ ପ୍ରଚୁର ଜଳ ବ୍ୟବହାର ଦ୍ୱାରା ଗଁାରେ ଥିବା ସମସ୍ତ କୂଅ ଏବେ ଶୁଖି ଯାଇଛି। ଭୂତଳ ଜଳ ବିଷାକ୍ତ ହୋଇଯାଇଥିଲେ ମଧ୍ୟ ପାଣି ଅଭାବରୁ ତାକୁ ହିଁ ବ୍ୟବହାର କରିବାକୁ ପଡୁଛି। ତେବେ ପାଣିରେ ଆବଶ୍ୟକତାଠାରୁ ୧୪% ଅଧିକ କ୍ରୋମିୟମ୍‌ ଥିବାରୁ ଏହାକୁ ପିଇଲେ ଲୋକଙ୍କୁ କିଡ୍‌ନୀ, ଟିବି ଭଳି ବିଭିନ୍ନ ରୋଗ ହେଉଛି।
– ଫକୀର ମୋହନ ମହାନ୍ତ, ଭୀମଟାଙ୍ଗର ଗ୍ରାମବାସୀ

ଆଗରୁ ଗଁାରେ ଘରେ ଘରେ କୂଅ ଥିଲା, ହେଲେ ଏବେ ସେ ସବୁ ଶୁଖିଲା ପଡ଼ିଛି। ବର୍ଷା ହେଲେ ପାଖରେ ଥିବା ଖଣିରୁ ମାଟିପାଣି ଆସି ଘରେ ପଶୁଛି। ପବନ ହେଲେ ଧୂଳି ଗୁଣ୍ଡ ବହୁଥିବାରୁ ବାହାରେ ରହି ହେଉନାହିଁ। ପିଇବା ପାଣି ଠିକ୍‌ ଭାବେ ମିଳୁନାହିଁ। ଗତ କିଛିଦିନ ହେବ ସରକାର ଟ୍ୟାଙ୍କରରେ ପିଇବା ପାଣି ଯୋଗାଉଛନ୍ତି। ତେବେ ଯେଉଁମାନଙ୍କର ପାଣି କାର୍ଡ ଅଛି ସେମାନଙ୍କୁ କାର୍ଡ ପିଛା ଗୋଟେ ଗରା କି ବାଲ୍‌ଟିଟେ ପିଇବା ପାଇଁ ପାଣି ମିଳୁଛି। ପାଣି ଅଭାବରୁ ଚାଷବାସ ସବୁ ଉଜୁଡ଼ି ଗଲାଣି। ଜମି ପଡ଼ିଆ ପଡୁଥିବାରୁ ବାଧ୍ୟ ହୋଇ ବାହାରକୁ ଯାଇ ମୂଲ ଲାଗିବାକୁ ପଡୁଛି। ଖରାଦିନେ ପ୍ରବଳ ଖରା ଆଉ ବର୍ଷାରେ ମାଟି ପାଣି ଆମ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।
– ସନ୍ଧ୍ୟାରାଣୀ ମହାନ୍ତ, ଭୀମଟାଙ୍ଗର ଗ୍ରାମବାସୀ

ଖଣି ଖନନ ଯୋଗୁ ଅନିୟମିତ ବର୍ଷା ଓ ତାପମାତ୍ରା ବୃଦ୍ଧି ପାଉଛି। ବିଶେଷକରି ଜଳ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ନାଳ ଓ ପୋଖରୀ ଉପରେ ନିର୍ଭର କରୁଥିବା ଗାଁଗୁଡ଼ିକରେ ପାନୀୟ ଜଳ ଓ ଜଳସେଚନ ସମସ୍ୟା ରହୁଛି। ସେହିପରି ଖଣିଜ ଅବଶିଷ୍ଟ ଓ ଅନିୟନ୍ତ୍ରିତ ଜଳ ନିଷ୍କାସନ ପାଇଁ ଜଳର ଗୁଣବତ୍ତା ପ୍ରଭାବିତ ହେଉଛି। ଖଣି ପାଇଁ ଜଙ୍ଗଲ କ୍ଷୟ ଯୋଗୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ମଧ୍ୟ ପ୍ରଭାବିତ ହେଉଛି। ସେହପିରି ପାରମ୍ପରିକ ଜୀବିକା ପ୍ରଭାବିତ ହେବା ସହ ଚାଷ ଉତ୍ପାଦନ ହ୍ରାସ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରେ ସମସ୍ୟା ଓ ପିଇବା ପାଣି ସଙ୍କଟ ଜୀବନକୁ ଅଧିକ କଷ୍ଟକର କରୁଛି।
-ରମାକାନ୍ତ ମହାନ୍ତ, ଭୀମଟାଙ୍ଗର ଗ୍ରାମବାସୀ

ବର୍ଷ ବର୍ଷ ଧରି ଆମ ଗଁା ଲୋକ ଏହି ପୋଖରୀ ଉପରେ ନିର୍ଭର କରି ଆସୁଛୁ। ଆଗରୁ ପାଣି ପୂରା ସଫା ଥିଲା କିନ୍ତୁ ଏବେ ପାଖରେ ଥିବା ଏକ ଖଣିରୁ ବାହାରୁଥିବା ଆବର୍ଜନା ନାଲି ପାଣି ଆସି ପୋଖରୀରେ ମିଶୁଛି। ଏହି ପାଣି ବ୍ୟବହାର କରିବା ଦ୍ୱାରା ଲୋକଙ୍କର କାଛୁ, କୁଣ୍ଡିଆ ଭଳି ଚର୍ମ ରୋଗ ସହିତ ବିଭିନ୍ନ ଜଳବାହିତ ରୋଗ ମଧ୍ୟ ଦେଖା ଦେଉଛି। ସେହିପରି ନିକଟରେ ରହିଥିବା ବିଲରେ ଏହି ଆବର୍ଜନାଯୁକ୍ତ ପାଣି ଜମା ହେଉଥିବାରୁ ଫସଲ ମଧ୍ୟ ନଷ୍ଟ ହେବାରେ ଲାଗିଛି। ଚାରିପଟେ ଧାନ ଫସଲ ହେଉଛି ହେଲେ ପୋଖରୀରୁ ପାଣି ବାହାରି ଜମା ହେଉଥିବା ବିଲରେ ଫସଲ ହେଉ ନାହିଁ।
– ରୁକ୍ମଣୀ ମହାନ୍ତ, କାଳିଆପାଣି ଗ୍ରାମବାସୀ

ଫସଲ ଉପରେ ନିର୍ଭର କରି ଆମେ ପୂରା ପରିବାର ଚଳୁଛୁ। ହେଲେ ଖଣିରୁ ବାହାରୁଥିବା କାଦୁଅ ପାଣି ବିଲରେ ପଶୁଥିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ଆଗ ଭଳିଆ ଆଉ ଚାଷ ହେଉନାହିଁ। ପିଇବା ପାଇଁ ଭଲ ପାଣି ମୁନ୍ଦାଏ ମିଳୁନି। ନଳକୂଅରେ ଖରାପ ପାଣି ଆସୁଥିବାରୁ ସରକାରଙ୍କ ତରଫରୁ ନାଲି ଛକି ମରାଯାଇଛି। ଏ ପାଣି ବ୍ୟବହାର କଲେ ଟିବି ସହ ବିଭିନ୍ନ ରୋଗ ହେବ ବୋଲି ସରକାର କହିଛନ୍ତି। ପାଇପ୍‌ ପାଣି ଦୁଇ ଦିନ ଆସିଲେ ଆଉ ଚାରିଦିନ ଆସୁନି। ତେଣୁ ଆଉ କିଛି ଉପାୟ ନ ଥିବାରୁ ବାଧ୍ୟହୋଇ ସେହି ନଳକୂଅ ପାଣିକୁ ବ୍ୟବହାର କରୁଛୁ।
– ଧନିଆ ଦେହୁରୀ, କାଳିଆପାଣି ଗ୍ରାମବାସୀ

ଆଦିବାସୀ ଅଞ୍ଚଳର ଲୋକମାନେ ବହୁ ସମୟରେ ନିଜର ଅସୁବିଧାକୁ ଜାଣି ପାରୁନାହାନ୍ତି। ଖଣି ପାଇଁ କେବଳ ପରିବେଶ ପ୍ରଦୂଷଣ ହେଉନାହିଁ ବରଂ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି। ଅଧିକାଂଶ ଖଣିରୁ ନିର୍ଗତ ହେଉଥିବା ବର୍ଜ୍ୟପାଣି ଟ୍ରିଟ୍‌ମେଣ୍ଟ ନ ହୋଇ ଛଡ଼ାଯାଉଛି। ଫଳରେ ସେହି ପାଣି ପାଖରେ ଥିବା ପୋଖରୀ, ନାଳରେ ମିଶୁଛି ଏବଂ ସେହି ପାଣି ବ୍ୟବହାର କରି ଲୋକମାନଙ୍କ ବିଭିନ୍ନ ଚର୍ମରୋଗ ସହିତ ବିଭିନ୍ନ ରୋଗ ହେଉଛି। ତେଣୁ ଖଣି ଅଞ୍ଚଳରେ ନିୟମିତ ତାପମାତ୍ରା, ବାୟୁ ଓ ଜଳର ଗୁଣବତ୍ତା ମାପିବା ସହ ଭୂତଳ ଜଳସ୍ତର ଉପରେ ନଜର ରଖିବା ଆବଶ୍ୟକ।
-ସାଗର ନାୟକ, କାଳିଆପାଣି ଗ୍ରାମବାସୀ

ଖଣି ଅଞ୍ଚଳରେ ବୋହୁଥିବା ବର୍ଜ୍ୟଜଳ ଅଭିଯୋଗ ଉପରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଖଣି କର୍ତ୍ତୃପକ୍ଷଙ୍କୁ ଏନେଇ ଜିରୋ ଡିସ୍‌ଚାର୍ଜ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହାରକୁ ବାହାରୁଥିବା ବର୍ଜ୍ୟଜଳକୁ ଉପଚାର କରି ପୁଣି ତାକୁ ଖଣି କାର୍ଯ୍ୟରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
– ମଦନ ସାହୁ, ଏସ୍‌ପିସିବିର
କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ

Share