ଖଣିଜପାଣ୍ଠିକୁ ଯେପରି ଟିକସ ଯିବା କଥା ସେଭଳି ଯାଉନି: ଅପରାଜିତା

ଭୁବନେଶ୍ବର,୨୫ା୧(ବ୍ୟୁରୋ): ଦୀର୍ଘ ଦଶନ୍ଧି ପରେ ଓଡ଼ିଶାରେ ପୁଣିଥରେ ଲକ୍ଷାଧିକ କୋଟି ଟଙ୍କାର ଖଣି ଦୁର୍ନୀତି ଓ ଅନିୟମିତତା ହୋଇଛି। ରାଜ୍ୟ ସରକାର ଏହି ଅନିୟମିତତାକୁ ସ୍ବୀକାର କରିବା ସହ ରାଜ୍ୟ ଖଣି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ସହ ତଦନ୍ତ ମାଧ୍ୟମରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି। କିନ୍ତୁ ରାଜ୍ୟର ଏହି ଉତ୍ତର କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିପାରିନାହିଁ ଓ ପୁଣିଥରେ ବିସ୍ତୃତ ରିପୋର୍ଟ ପଠାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଅପରାଜିତା ରାଜ୍ୟରେ ଖଣି ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କ ଏକ ଚିଠିକୁ ଉଲ୍ଲେଖକରି କହିଛନ୍ତି, ଓଡ଼ିଶାରେ ଘରୋଇ ଖଣି ଲିଜ୍‌ଧାରୀ କମ୍ପାନୀଗୁଡ଼ିକ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଲୁହାପଥର(୫୫%ରୁ କମ୍‌) ଦର୍ଶାଇଥିବାରୁ ରାଜକୋଷକୁ ହଜାର ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ଏପରିକି ଜିଲା ଖଣିଜ ପାଣ୍ଠିକୁ ଯେଉଁ ପରିମାଣର ଟିକସ ଯିବା କଥା ସେଭଳି ମଧ୍ୟ ଯାଉନାହିଁ। ନ୍ୟାଶନାଲ ମିନେରାଲ ଏକ୍ସପ୍ଲୋରେଶନ ଟ୍ରଷ୍ଟକୁ ମଧ୍ୟ ପାଣ୍ଠି ହ୍ରାସ ହୋଇଛି। ଆଗାମୀ ଦିନରେ ଏଭଳି ଅନିୟମିତତା ଯେପରି ନ ହେବ ତା’ର ଗ୍ୟାରେଣ୍ଟି କ’ଣ ଓ କିଭଳି ପଦକ୍ଷେପ ନିଆଯାଉଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର। ୨୦୨୧-୨୨ ଆର୍ଥିକ ବର୍ଷରେ ଯେଉଁ ଲିଜ୍‌ଧାରୀମାନେ ଏଭଳି ଦୁର୍ନୀତି ଓ ଅନିୟମିତତା କରିଛନ୍ତି ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ରାଜକୋଷକୁ ହୋଇଥିବା କ୍ଷତିକୁ ଭରଣା ନିମନ୍ତେ କ’ଣ ପଦକ୍ଷେପ ନିଆଯାଇଛି ତାହା ରାଜ୍ୟ ସରକାର ଜଣାନ୍ତୁ ବୋଲି ଅପରାଜିତା କହିଛନ୍ତି।