ଘର ଭାଙ୍ଗିଦେଲେ ଖଣି ନିଗମ ଅଧିକାରୀ

କାଳିଆପାଣି,୧ା୧(ଡି.ଏନ.ଏ.): ସୁକିନ୍ଦା ବ୍ଲକ୍‌ ଅଧୀନ କାଳିଆପାଣି ଖଣି ଅଞ୍ଚଳରେ ନୂତନ ଖଣି ଖୋଲିବାକୁ ସରକାରୀସ୍ତରରେ ପ୍ରସ୍ତୁତି ଚାଲିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ସେଠାରେ ବର୍ଷବର୍ଷ ଧରି ବସବାସ କରି ରହୁଥିବା ଏକ ଘରକୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଇଏସଏଫ୍‌ ନିରାପତ୍ତା ରଖିଙ୍କ ଦ୍ୱାରା ଶୁକ୍ରବାର ରାତିରେ ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ଦୃଢ଼ ବିରୋଧ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ କାଳିଆପାଣି ଟ୍ରକ୍‌ ପାର୍କିଂ ନିକଟରେ ଘର କରି ରହୁଥିଲେ। ଏବେ ସମ୍ପୃକ୍ତ ସ୍ଥାନରେ ୨୦ରୁ ଊର୍ଦ୍ଧ୍ୱ ପରିବାର ସ୍ଥାୟୀ ଭାବେ ରହୁଛନ୍ତି। ଘର ଠାରୁ ଅନତି ଦୂରରେ ଖଣି ନିଗମର ସାଉଥ୍‌ କାଳିଆପାଣି ଖଣି ପାଇଁ ଟ୍ରକ୍‌ ପାର୍କିଂ କରାଯାଇଥିବାରୁ ଦୁର୍ଘଟଣା ଘଟୁଛି। ଏବେ ନିକଟରେ ନୂତନ କାଳିଆପାଣି ଖଣି ଖୋଲିବାକୁ ନିଗମ ଲିଜ ହାତେଇଛି। ଆସନ୍ତା ଜାନୁୟାରୀରେ ଖଣି ଖୋଲିବ। କିନ୍ତୁ ଏହାପୂର୍ବରୁ ରାତି ଅଧିଆ ଘର ଭଙ୍ଗା ଘଟଣାକୁ ନେଇ ସେଠାରେ ବସବାସ କରୁଥିବା ୨୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ଭୟଭୀତ ହୋଇ ପଡ଼ିଛନ୍ତି। ଓଏମ୍‌ସି କାଳେ ସେମାନଙ୍କ ଘର ଭାଙ୍ଗିଦେବ ସେଥିପାଇଁ ଧନୁତିର ଧରି ନିଜ ଘରକୁ ଜଗି ରହୁଛନ୍ତି। ଏନେଇ ଖଣି ନିଗମର କାଳିଆପାଣି ଖଣି ପରିଚାଳକ ମନୋଜ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଏନେଇ ମୋ ନିକଟରେ କିଛି ଖବର ନାହିଁ। ନିରାପତ୍ତା ଅଧିକାରୀ ଏନ୍‌.କେ. ନାୟକଙ୍କୁ ଯୋଗଯୋଗ କରିବାରୁ ସେ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି।