ରିଷିଡ଼ା,୫ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲସ୍ଥିତ ମିନମାନ ପାହାଡ଼ରେ ଚାଲୁଥିବା କ୍ରସର ବର୍ତ୍ତମାନ ବନ୍ଦ ରଖିବାକୁ ଖଣିବିଭାଗ ନିର୍ଦ୍ଦେଶ ଦେଇଛି। ଏହି କ୍ରସର ଆରମ୍ଭ ହେବା ଦିନଠୁ ଏଠାରେ କ୍ରସର ନ ଚଳେଇବା ପାଇଁ ଗ୍ରାମବାସୀ ଦାବି କରିଆସୁଥିଲେ। ବର୍ଷ ସାରା ଗ୍ରାମବାସୀ ତହସିଲଦାରଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଧାଁ ଧଉଡ଼ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବାରୁ ଉତ୍ତେଜନା ଲାଗିରହିଥିଲା। ଏହି କ୍ରସର ପାଖରେ ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଜନବସତି ଆଦି ରହିଥିବା ବେଳେ କେଉଁ ଆଧାରରେ ଅନୁମତି ମିଲିଲା ବୋଲି ପ୍ରଶ୍ନ ଉଠୁଛି। ଏପରିକି ୩ ଏକର ଜମି ଲିଜ୍ ନେଇଥିବା ବେଳେ ଅଧିକ ଏରିଆକୁ ସାମିଲ କରି ବେଆଇନ ଭାବେ ବ୍ଲାଷ୍ଟିଂ ଚାଲୁଥିଲା। ଏଠାରେ ବନ ବିଭାଗ ପକ୍ଷରୁ ପୂର୍ବରୁ କରାଯାଇଥିବା ବୃକ୍ଷରୋପଣ ମଧ୍ୟ ଏବେ ସ୍ବାହା ହୋଇଯାଇଛି। ସମ୍ପୂର୍ଣ୍ଣ ଭାବରେ ୯୦ ଏକରରୁ ଅଧିକ ପରିମିତ ଏହି ପାହାଡ଼ ଅଞ୍ଚଳକୁ ଧୂଳିସାତ କରିବାର ଚକ୍ରାନ୍ତ ଚାଲିଛି। ଏହାକୁ ନେଇ ଗ୍ରାମବାସୀଅଭିଯୋଗ କରିବା ପରେ କଳାହାଣ୍ଡି ଜିଲା ଖଣି ଉପନିର୍ଦ୍ଦେଶକ ପତ୍ରାଙ୍କ ୨୧୯ ତା-୨୬.୫.୨୬ରେ ପଥରକ୍ୱାରୀ-୨କ୍ରସର ୟୁନିଟ୍କୁ ସସ୍ପେଣ୍ଡ୍ ଆଦେଶ ଦେଇଛନ୍ତି। ଏହାର ସିଡିଓ, ଇସି ଓ ଏକ୍ସପ୍ଲୋସିଭ କ୍ଲିୟରାନ୍ସ ନ ଥିବା ଦର୍ଶାଇ ସେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ପର୍ଯ୍ୟନ୍ତ ପୁଣି ବ୍ଲାଷ୍ଟିଂ ହେଉଥିବା ଜାଣି ପୁଣି ଅଭିଯୋଗ ହେବାରୁ ଆଜି ଭବାନୀପାଟଣା ଖଣି ବିଭାଗ ଅଧିକାରୀମାନେ ଆସି କ୍ଷେତ୍ରପରିଦର୍ଶନ କରିଥିଲେ ଓ ଏହାର ସ୍ଥିତିବସା ଉପରେ ଡିଡିଏମ୍ଙ୍କୁ ଦେବେ ବୋଲି କହିଥିଲେ। ତେବେ ଏଠାରେ କ୍ରସରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଦାବି କଣାଇଛନ୍ତି। ଏହାପୂର୍ବରୁ ଗ୍ରାମବାସୀ ଆଜି କର୍ଲାମୁଣ୍ଡାଠାରେ ତହସିଲଦାର ଅରୁଣ ବର୍ଗେଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ପଟେଲଙ୍କୁ ଭେଟି ଡିଡିଏମ୍ଙ୍କ ଚିଠି ହେବା ସତ୍ତ୍ୱେ କ୍ରସରରେ ବ୍ଲାଷ୍ଟିଂ ଚାଲୁଥିବା ଅଭିଯୋଗ କରିଥିଲେ।