ଚଇତି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଢେଙ୍କିକୋଟ, ୧୫।୪ (ଡି.ଏନ.ଏ.)
କେନ୍ଦୁଝର ଜିଲା ଘଟଗାଁ ମା’ତାରିଣୀ ପୀଠ ସାରା ଜଗତରେ ଜଣାଶୁଣା। ପ୍ରତିବର୍ଷ ପଣା ସଂକ୍ରାନ୍ତି ଅବସରରେ ମା’ଙ୍କ ପ୍ରସିଦ୍ଧ ଚଇତି ପର୍ବ ଦୀର୍ଘ ସାତ ଦିନ ଧରି ଧୁମଧାମରେ ପାଳନ କରାଯାଇଛି। ଚଳିତ ମାସ ୯ ତାରିଖରୁ ମା’ଙ୍କ ଚଇତି ପର୍ବ ଆରମ୍ଭ ହୋଇଥିଲା। ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁ ମା’ଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଥିବେ ବେଳେ ଚଳିତ ବର୍ଷ ଏହାକୁ ରାଜ୍ୟ ସରକାର ହଟାଇଦେଇଛନ୍ତି। ଫଳରେ ମା’ଙ୍କ ଚଇତି ପର୍ବ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି। ଗୁରୁବାର ପବିତ୍ର ହନୁମାନ ଜୟନ୍ତୀ, ପଣାସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ପ୍ରଥମ ଦିନ। ଏହି ଦିନ ମା’ଙ୍କ ସୁନାବେଶ ଦର୍ଶନ କରି ମନରେ ଯାହା ମନାସିବ ମା’ ତାହା ପୁରଣ କରିଥାନ୍ତି ବୋଲି କିମ୍ବଦନ୍ତୀ କହେ। ଫଳରେ ପ୍ରତ୍ୟକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ କାହିଁ କେତେ ଦୂରୁ ଆସି ଦୀର୍ଘ ଘଣ୍ଟା ଖରାତରାରେ ଛିଡା ହୋଇ ଦର୍ଶନ କରି ମନରେ ବିଭିନ୍ନ ପ୍ରକାର ଶୁଭ ମନାସିଥାନ୍ତି ଏବଂ ତାହା ପୁରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି। ଏହି ଚଇତି ପର୍ବ ପାଇଁ ଜିଲା ପ୍ରଶାସନ ଓ ମା ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷ ରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟବସ୍ଥା କରିଥାନ୍ତି। ଜିଲ୍ଲା ର କୋଣ ଅନୁକୋଣ ରୁ ପୋଲିସ ପ୍ରଶାସନ ଆସିଥିବା ବେଳେ ବିଭିନ୍ନ ସଂଗଠନ ର ସ୍ବେଛାସେବୀ ଆସି ସହଯୋଗ କରିଥାନ୍ତି। ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ ଅନୁଷ୍ଠାନ ତରଫରୁ ଭକ୍ତ ମାନଙ୍କୁ ମା’ଙ୍କ ପୀଠରେ ବିଭିନ୍ନ ପ୍ରକାର ପ୍ରସାଦ ବଣ୍ଟନ କରିଥାନ୍ତି । ଘଟଗାଁ, ହରିଚନ୍ଦନପୁର, ପାଟଣାର ଦମକଳ ବାହିନୀ ମଧ୍ୟ ସଜାଗ ଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ ଶାନ୍ତି ଶୃଙ୍ଖଳା ନିମନ୍ତେ ବାଉଁଶ ବାରିକେଡ କରାଯାଇଛି। ନଅ ଦିନ ଧରି ପୀଠରେ ସତ୍ୟନାରାୟଣ ବାଡ଼ିପାଲା, ଚଣ୍ଡୀପାଠ, ଭୋଜନ ସମାରୋହ, ବିଭିନ୍ନ ନୃତ୍ୟ ଶିଳ୍ପ ଓ କଳାକୁଞ୍ଜ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଭକ୍ତଙ୍କ ନିମନ୍ତେ କରାଯାଇଥାଏ। ଜନସମାଜର ହିତ ଉଦ୍ଦେଶ୍ୟରେ ମା’ଙ୍କ ପୂଜା ପାଠ କରାଯାଇଛି।