ନୂଆପଡ଼ା,୬ା୧ (ମକାରୁ ବେମାଲ): ନୂଆପଡ଼ା ଜିଲାର ସମସ୍ତ ମିଲର୍ସ ବିଭିନ୍ନ ଦାବି ନେଇ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଛି। ଦୀର୍ଘ ବର୍ଷରୁ ମିଲର୍ସମାନେ ମିଲିଂ ଚାର୍ଜ ବୃଦ୍ଧି କରାଯାଉ ବୋଲି ଦାବି କରିଆସୁଛନ୍ତି। ସେହିପରି ଧାନର ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ, ୪୦ କିଲୋମିଟରରୁ ଅଧିକ ଦୂରତା ପାଇଁ ଧାନ ଓ ଚାଉଳ ପରିବହନ ଖର୍ଚ୍ଚ ନିକଟରେ ସଂଶୋଧିତ ହୋଇଥିବା ୨୮ ପଇସା ପ୍ରତି କୁଇଣ୍ଟାଲ ପରିବର୍ତ୍ତେ ପୂର୍ବ ଦର ୪୩ ପଇସା ଲାଗୁ କରାଯାଉ,ଦୂରତା ଅନୁଯାୟୀ ପୈଠ କରିବା ପରିବର୍ତେ ଏମଏମଡିଏଫ ନାମରେ ବିଲ କରାଯିବା, ଖରିଫ ଋତୁ ୨୦୨୪-୨୫ ଓ ୨୦୨୫-୨୬ ପାଇଁ ଅରୁଆ ଚାଉଳ ମିଲିଂ ଧାନ ଉପରେ ଡ୍ରାଏଜକୁ ୧ ଶତକଡାକୁ ପୁନଃ ସ୍ଥାପିତ କରିବା ଆଦି ଦାବି ରହିଛି। ଏ ନେଇ ସରକାରଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏବେ ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଜିଲାରେ ୭୭ ମଣ୍ଡିରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ବସ୍ତା ଧାନ ପଡି ରହିଛି। ପ୍ରକାଶଥାଉ କି ଚଳିତ ଖରିଫ ଋତୁରେ ଜିଲାର ୫୧ ହଜାର ୩୪୧ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ରବିବାର ସୁଦ୍ଧା ୨୮ ହଜାର ୫୪୧ ଚାଷୀଙ୍କ ୧୨ ଲକ୍ଷ ୪୨ ହଜାର ୪୧୮ କୁଇଣ୍ଟାଲ ଧାନ ଉଠାଯାଇଛି।


