ନୂଆଦିଲ୍ଲୀ,୨୨।୧୧: କ୍ଷୀର ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତା ଅଟେ। ସକାଳର ଚା’ଠାରୁ ଆରମ୍ଭ କରି ପିଲାଙ୍କ ଜଳଖିଆ ଏବଂ ଦହି-ପନିର ପର୍ଯ୍ୟନ୍ତ, ଅନେକ ଜିନିଷ ପାଇଁ ଲୋକେ ପ୍ରତିଦିନ କ୍ଷୀର କିଣନ୍ତି। ଏଭଳି ପରିସ୍ଥିତିରେ କ୍ଷୀର ଦରରେ ସାମାନ୍ୟ ବୃଦ୍ଧି ମଧ୍ୟ ମାସିକ ବଜେଟ ବିଗାଡ଼ି ଦେଇପାରେ। ଏବେ ମହାରାଷ୍ଟ୍ରରେ କ୍ଷୀର କିଣୁଥିବା ଲୋକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
କୋହ୍ଲାପୁର ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଅର୍ଥାତ ଗୋକୁଳ ମଇଁଷି କ୍ଷୀରର ବିକ୍ରୟ ମୂଲ୍ୟ ଲିଟର ପିଛା ୬ ଟଙ୍କା ଏବଂ ଗାଈ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବଢ଼ାଇଛି। ନୂଆ ଦର ୨୧ ନଭେମ୍ୱର ୨୦୨୬ରୁ ଲାଗୁ ହୋଇଯାଇଛି। ଏହି ବୃଦ୍ଧି ଗୋକୁଳର ଯୋଗାଣ କ୍ଷେତ୍ରରେ ଲାଗୁ ହେବ। ଅର୍ଥାତ୍ ଏହାର ପ୍ରଭାବ ମହାରାଷ୍ଟ୍ରର ସେହି ଅଞ୍ଚଳଗୁଡ଼ିକରେ ପଡ଼ିବ ଯେଉଁଠାରେ ଗୋକୁଳ କ୍ଷୀର ଯୋଗାଣ କରେ।
ଗୋକୁଳ ଉଭୟ ପ୍ରକାରର କ୍ଷୀର ଦରରେ ଭିନ୍ନ ଭିନ୍ନ ବୃଦ୍ଧି କରିଛି। ମଇଁଷି କ୍ଷୀର ଏବେ ପୂର୍ୱ ତୁଳନାରେ ଲିଟର ପିଛା ୬ ଟଙ୍କା ମହଙ୍ଗା ମିଳିବ, ଯେତେବେଳେ କି ଗାଈ କ୍ଷୀର ପାଇଁ ୪ ଟଙ୍କା ଅଧିକ ଦେବାକୁ ପଡ଼ିବ।
ଏହାକୁ ଏପରି ବୁଝାଯାଇପାରେ ଯେ ଯଦି କୌଣସି ପରିବାର ପ୍ରତିଦିନ ୨ ଲିଟର ମଇଁଷି କ୍ଷୀର କିଣେ, ତେବେ ତାଙ୍କୁ ପୂର୍ୱ ତୁଳନାରେ ପ୍ରତିଦିନ ୧୨ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ମାସିକ ହିସାବରେ ଏହି ଖର୍ଚ୍ଚ ପ୍ରାୟ ୩୬୦ ଟଙ୍କା ହୋଇଯିବ। ସେହିପରି ପ୍ରତିଦିନ ୨ ଲିଟର ଗାଈ କ୍ଷୀର କିଣୁଥିବା ପରିବାରକୁ ମାସରେ ପ୍ରାୟ ୨୪୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ।
ଗୋକୁଳ କେବଳ ଗ୍ରାହକଙ୍କ ପାଇଁ କ୍ଷୀର ମହଙ୍ଗା କରିନାହିଁ, ବରଂ ଦୁଗ୍ଧ ଉତ୍ପାଦକମାନଙ୍କୁ ମିଳୁଥିବା କ୍ରୟ ମୂଲ୍ୟ ମଧ୍ୟ ବଢ଼ାଇଛି। ମଇଁଷି କ୍ଷୀର ଉପରେ ଚାଷୀଙ୍କୁ ଏବେ ଲିଟର ପିଛା ୩ ଟଙ୍କା ଏବଂ ଗାଈ କ୍ଷୀର ଉପରେ ଲିଟର ପିଛା ୨ ଟଙ୍କା ଅଧିକ ମିଳିବ। ଗୋକୁଳର ଚେୟାରମ୍ୟାନ ରାଜେଶ ପାଟିଲଙ୍କ ଅନୁଯାୟୀ, ମରୁଡ଼ି ସ୍ଥିତି ଏବଂ ଚାଷୀମାନେ ଭୋଗୁଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବୋର୍ଡର ସମସ୍ତ ୨୫ ଜଣ ନିର୍ଦ୍ଦେଶକ ଏହି ବୃଦ୍ଧି ଉପରେ ସହମତି ପ୍ରକାଶ କରିଛନ୍ତି। ନୂଆ ଦର ପ୍ରାୟ ୧୩୧ ଦିନ ଅର୍ଥାତ୍ ମାର୍ଚ୍ଚ ପର୍ଯ୍ୟନ୍ତ ଲାଗୁ ରହିବ।
କିନ୍ତୁ ଚାଷୀଙ୍କ କହିବା କଥା ହେଲା ସେମାନଙ୍କୁ ମିଳୁଥିବା ବର୍ଦ୍ଧିତ ମୂଲ୍ୟ ଯଥେଷ୍ଟ ନୁହେଁ। ଗୋଖାଦ୍ୟ ଏବଂ ସେମାନଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ଲଗାତାର ବଢ଼ିବାରେ ଲାଗିଛି। ଜଣେ ଚାଷୀଙ୍କ ଅନୁଯାୟୀ, ଗୋଖାଦ୍ୟର ଗୋଟିଏ ବସ୍ତାର ଦାମ ୨,୧୦୦ରୁ ୨,୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି। ଗୋଟିଏ ଡେୟାରୀ ଫାର୍ମରେ ପ୍ରତିଦିନ ତିନିରୁ ଚାରି ବସ୍ତା ପର୍ଯ୍ୟନ୍ତ ଆବଶ୍ୟକ ପଡ଼ିପାରେ। ଏଭଳି ସ୍ଥିତିରେ କ୍ଷୀରର କ୍ରୟ ଦରରେ ୨ ବା ୩ ଟଙ୍କା ବୃଦ୍ଧି ହେବା ଦ୍ୱାରା ସେମାନଙ୍କର ସମସ୍ୟା ସମ୍ପୂର୍ଣ୍ଣ ଦୂର ହେବ ନାହିଁ।