ଟିକା ନ ନେଲେ ମିଳିବନି ସରକାରୀ ସୁବିଧା

ଭୁବନେଶ୍ୱର, ୨୪।୨ (ବ୍ୟୁରୋ): ପଞ୍ଜୀକୃତ ହୋଇ ଟିକା ନେଉ ନ ଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି ତାଗିଦ କରିଛନ୍ତି ରାଜ୍ୟ ସରକାର। ଟିକା ନ ନେଲେ ସରକାରୀ ସୁବିଧାସୁଯୋଗରୁ ବଞ୍ଚତ୍ତ ହେବେ ବୋଲି ଚେତାଇ ଦେଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲାପାଳ ଓ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି। ନାମ ପଞ୍ଜୀକରଣ କରି କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ନ ଦର୍ଶାଇ ଟିକା ନେଇ ନ ଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କାରଣ ନ ଥାଇ ଟିକା ନ ନେଇଥିବା ଏହି ଯୋଦ୍ଧା କରୋନା ସଂକ୍ରମିତ ହେଲେ ତାଙ୍କୁ ମାଗଣା ଚିକିତ୍ସା, ମୃତ୍ୟୁକାଳୀନ ଆର୍ଥିକ ସହାୟତା ଇତ୍ୟାଦି ସରକାରୀ ସୁବିଧା ମିଳିବ ନାହିଁ। ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୮୫ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ନେଇଛନ୍ତି। ଏ କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଏବେ ବି ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବା ପ୍ରକ୍ରିୟା ଜାରି ରହିଛି। ବାରମ୍ବାର ସୂଚିତ କରାଯିବା ପରେ ମଧ୍ୟ ପଞ୍ଜୀକୃତ କେତେଜଣ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ପ୍ରଥମ ପର୍ଯ୍ୟାୟ କରୋନା ଟିକା ନେଇ ନାହାନ୍ତି। ତେଣୁ ସେମାନଙ୍କୁ ଏହି ନିର୍ଦ୍ଦେଶ ଜଣାଇବା ସହିତ ତୁରନ୍ତ ସମୟସୀମା ମଧ୍ୟରେ ଟିକା ନେବା ପାଇଁ କହିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଜାନୁୟାରୀ ୧୬ରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି। କିନ୍ତୁ କେତେଜଣ ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ନାମ ପଞ୍ଜୀକରଣ କରିଥିଲେ ସୁଦ୍ଧା ଟିକା ନେବା ପାଇଁ ଅମଙ୍ଗ ହେଉଛନ୍ତି। ବାରମ୍ବାର ତାଗିଦ ସହ ଟିକାକରଣ ସମୟସୀମା ବୃଦ୍ଧି କରାଯାଇଥିଲେ ମଧ୍ୟ ସେମାନେ ଟିକା ନେଉ ନ ଥିବାରୁ ରାଜ୍ୟ ସରକାର ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।