ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରାତିଅଧରେ ହାଇଡ୍ରାମା: ଅଟୋରେ ଯୁବତୀଙ୍କୁ ନେଇ ଯାଉଥିବାବେଳେ ଘଟିଲା…

ଭୁବନେଶ୍ୱର,୧୮।୧୧(ତ୍ରିନାଥ ମହାନ୍ତି):ଭରତପୁର ଥାନା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସୋମବାର ବିଳମ୍ବିତ ରାତିର ହାଇଡ୍ରାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅଟୋରେ ଦୁଇ ଜଣ ଯୁବକ ଅପହରଣ କରି ନେଉଥିଲେ। ଆଉ ଯୁବତୀ ଜଣଙ୍କ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ। ସେଠାରେ ଜଣେ ବାଇକ୍‌ ଚାଳକ ନିଜ ମୋବାଇଲ୍‌ରେ ଏହାର ଭିଡିଓ କରିବା ସହ ଲୋକଙ୍କୁ ଡାକିଥିଲେ। ଶେଷରେ ଲୋକେ ଅଟୋକୁ ଅଟକାଇ ଦୁଇ ଜଣ ଯୁବକଙ୍କୁ ଘେରି ଯାଇଥିଲେ। ଆଉ ଯୁବତୀଙ୍କୁ ଅଟୋରୁ ବାହାର କରିବା ସହ ଯୁବକଙ୍କୁ ଉତ୍ତମମଧ୍ୟମ ଦେବାକୁ ଯିବା ସମୟରେ ସେ ସତ କହିଥିଲେ। ଅଟୋରେ ଯୁବତୀଙ୍କୁ ଅପହରଣ କରି ନେଉଥିବା ଯୁବକ ତାଙ୍କ ଭାଇ ବୋଲି ପରିଚୟ ଦେଇଥିଲେ। ଆଉ ଉତ୍ତ୍ୟକ୍ତ ଲୋକେ ଯୁବକଙ୍କୁ ମାଡ଼ ନ ମାରି ଘଟଣା ସମ୍ପର୍କରେ ବୁଝିଥିଲେ। ଯାହା ଜାଣିଲେ ତାହା ଆଶ୍ଚର୍ଯ୍ୟ କଲାଭଳି।
ଯୁବତୀଙ୍କ ଘର ଆଣ୍ଡାମାନ ନିକୋବର ହୋଇଥିବା ବେଳେ ନିକଟରେ ତାଙ୍କ ଘର ଲୋକ ବିବାହ ଠିକ୍‌ କରିଥିଲେ। ହେଲେ ଯୁବତୀ ଜଣଙ୍କ ବିବାହ କରିବାକୁ ରାଜି ନଥିଲେ। ଅନ୍ୟ ଯୁବକଙ୍କୁ ଭଲପାଇବା ସମ୍ପର୍କରେ ପଚାରିଥିଲେ ମଧ୍ୟ ସେ କିଛି କହି ନ ଥିଲେ। ମାତ୍ର ଭୁବନେଶ୍ୱରରେ
ଥିବା ପ୍ରେମିକ ପାଖକୁ ଆସିବା ପାଇଁ ଯୋଜନା କରିଥିଲେ। ଶେଷରେ ଯୁବତୀ ଜଣଙ୍କ ଗତ ୫ ଦିନ ହେବ ବିମାନରେ ସିଧା ଭୁବନେଶ୍ୱର ପଳାଇ ଆସିଥିଲେ। ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ସ୍ଥାନୀୟ ପୋଲିସ ଯୁବତୀଙ୍କ ଫୋନ୍‌ ନମ୍ବର ଟ୍ରାକ୍‌ କରିବା ପରେ ସେ ଭୁବନେଶ୍ୱରରେ ଥିବା ଜାଣିବାକୁ ପାଇଥିଲେ। ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହି ଆଣ୍ଡାମାନ ନିକୋବର ପୋଲିସ ଏଠାକୁ ଆସି ନଥିଲା। ହେଲେ ଯୁବତୀଙ୍କ ଭାଇ ପୋଲିସଠାରୁ ଭଉଣୀଙ୍କ ଲୋକେଶନ୍‌ ନେଇ ବିମାନରେ ଆସି ଭୁବନେଶ୍ୱର ପହଞ୍ଚିଥିଲେ। ଏଠାରେ ବିମାନବନ୍ଦର, ବସଷ୍ଟାଣ୍ଡରେ ଖୋଜିବା ସମୟରେ ସୋମବାର ରାତି ପ୍ରାୟ ୩ଟା ହେବ ତାଙ୍କ ଭଉଣୀଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଦେଖିବାକୁ ପାଇଥିଲେ। ମାତ୍ର ଭଉଣୀ ଫେରିଯିବାକୁ ରାଜି ହୋଇ ନଥିଲେ। ତେଣୁ ଯୁବତୀଙ୍କ ଭାଇ ଏବଂ ସହଯୋଗୀ ଜବରଦସ୍ତ ତାଙ୍କୁ ଅଟୋରେ ବସାଇ ରେଳଷ୍ଟେଶନକୁ ନେବା ବେଳେ ଯୁବତୀ ଜଣଙ୍କ ଏପରି ଚିତ୍କାର କରିଥିଲେ। ଅପହରଣ କରାଯାଉଥିବା ନେଇ ଲୋକେ ଅଟୋ ସହ ସେମାନଙ୍କୁ ଅଟକାଇଥିଲେ। ତେବେ ଏସମ୍ପର୍କରେ ଖବର ପାଇ ଭରତପୁର ଥାନା ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲେ। ଯୁବତୀଙ୍କ ବୟାନ ନେବା ପରେ ସେ ଘରକୁ ଯିବାକୁ ମନା କରିଥିଲେ। ହେଲେ ପରିବାର ଲୋକଙ୍କ ସହ ଭିଡିଓ କଲରେ ଯୁବତୀ କଥା ହେବା ପରେ ରାଜି ହେବା ପରେ ତାଙ୍କ ଭାଇ ତାଙ୍କୁ ବିମାନରେ ଆଣ୍ଡାମାନ ନେଇଯାଇଥିଲେ।

 

Dharitri – Odisha’s No.1 Odia Daily

 

Share