ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା ଅତ୍ୟାଧୁନିକ ଆଣ୍ଟି-ଥେପ୍ଟ ସାଇବର ସିକ୍ୟୁରିଟି ବ୍ୟବସ୍ଥା ଯୋଗୁ ଡକାୟତମାନଙ୍କ ଚକ୍ରାନ୍ତ ନିଷ୍ଫଳ ହୋଇଥିବା ବେଳେ ପୋଲିସ ୭ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଲଗାତର ଚାରି ଦିନ ବ୍ୟାଙ୍କ ଛୁଟି ରହିବାର ସୁଯୋଗ ନେଇ ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ୭ ଜଣ ଦୁର୍ବୃତ୍ତ ବ୍ୟାଙ୍କର ମୁଖ୍ୟ ଦ୍ୱାରର ଗ୍ରିଲ୍ ଏବଂ ଗଦରେଜ୍ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ତେବେ ବ୍ୟାଙ୍କ ଭିତରେ ସେମାନେ ପ୍ରବେଶ କରିବା ମାତ୍ରକେ ଆଣ୍ଟି-ଥେପ୍ଟ ଆଲାରାମ୍ ସାଇରନ୍ ବାଜି ଉଠିଥିଲା। ଏହି ସୂଚନା ତୁରନ୍ତ ବ୍ରାଞ୍ଚ ମ୍ୟାନେଜରଙ୍କ ମୋବାଇଲ ସମେତ ବେଙ୍ଗାଳୁରୁସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଥିଲା।

ମୁଖ୍ୟ କାର୍ଯ୍ୟାଳୟରୁ ସୂଚନା ପାଇବା କ୍ଷଣି ବୈଶିଙ୍ଗା ଥାନାଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଗାଡ଼ି ଦେଖି ଡକାୟତମାନେ ଷ୍ଟ୍ରଙ୍ଗ୍ ରୁମ୍ ଚାବି ଭାଙ୍ଗିବାରେ ବିଫଳ ହୋଇ ଆସିଥିବା କାର୍‌ରେ ଖସିଯିବାକୁ ଉଦ୍ୟମ କରିଥିଲେ। ମାଣତ୍ରୀ-ବୈଶିଙ୍ଗା ରାସ୍ତାରେ ପୋଲିସ ସେମାନଙ୍କ କାର୍‌କୁ ପିଛା କରି ବୈଶିଙ୍ଗା ଛକ ନିକଟରେ ସେମାନଙ୍କୁ କାବୁ କରିଥିଲା।

ପୋଲିସ ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍ (WB 20 Z 9756) ଜବତ କରିବା ସହ ବାଲେଶ୍ୱର ଜିଲ୍ଲାର ୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବ୍ୟାଙ୍କ ଭିତରୁ ଚୋରି ହୋଇଥିବା ଏକ ମୋବାଇଲ୍ ଏବଂ ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ହୋଇଥିବା ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ବ୍ୟାଙ୍କର ସୁରକ୍ଷା ଅଧିକାରୀ ଉତ୍ତମ କୁମାର ପୃଷ୍ଟିଙ୍କ ଲିଖିତ ଅଭିଯୋଗ ଆଧାରରେ ଥାନାରେ ୪୭୪ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅପରପକ୍ଷରେ, ରାତିରେ ବ୍ୟାଙ୍କ ପରିସରରେ କୌଣସି ସୁରକ୍ଷା କର୍ମଚାରୀ ନଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

Dharitri – Odisha’s No.1 Odia Daily

Share